ମହିଳାଙ୍କୁ ଗଣଦୁଷ୍କର୍ମ, ୨ ନାବାଳକ ସହ ୩ ଗିରଫ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଅଞ୍ଚଳର ଜନୈକ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୫ ତାରିଖ ରାତିରେ ଏହି ଘଟଣା ଘଟିଥିବା ବେଳେ ପୀଡ଼ିତା ଗତକାଲି ସଂଧ୍ୟାରେ ଥାନାରେ ଏତଲା ଦାଏର କରିଥିଲେ। ଅଭିଯୁକ୍ତମାନେ ଏହି କାଣ୍ଡ ଭିଆଇବା ପ‌ରେ ତାଙ୍କ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ। ପୀଡ଼ିତାଙ୍କ ଏତଲାକୁ ଭିତ୍ତିକରି ଥାନାରେ ଏକ କେସ୍ ୭୯/୨୧ ରୁଜୁ ହୋଇଛି। ଏସ୍‌ପି ରାହୁଲ ପିଆରଙ୍କ ନିର୍ଦେଶରେ କଳିଙ୍ଗନଗର ଏଏସ୍‌ପି ଜୟରାମ ଶତପଥୀ ଓ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗରାମିଆଁ ଗାଁର ମୁଖ୍ୟ ଅଭିଯୁକ୍ତ ରୁପା ପୂର୍ତ୍ତି(୨୫) ଓ ଅନ୍ୟ ୨ ନାବାଳକଙ୍କୁ ଗିରଫ କରିଛି। ଅଭିଯୁକ୍ତ ରୁପାକୁ ପଚରାଉଚରା ପରେ ଘଟଣାସ୍ଥଳରୁ ପ୍ରାୟ ୫ କିଲୋମିଟର ଦୂର ପିମ୍ପୁଡ଼ିଆ ଗାଁର ଏକ ପଥର ତଳୁ ଲୁଟ୍‌ ମୋବାଇଲ୍‌ ଉଦ୍ଧାର ‌ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଚଳିତ ବର୍ଷ ଜଣେ ମାଟ୍ରିକ୍‌ ପାସ୍ ଛାତ୍ର ଅଛି। ପୁଲିସ ଚଢ଼ଉ ଓ ଗିରଫଦାରି ସମୟରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ପୀଡ଼ିତା ଜଣକ ଜଣେ ଅଭିଯୁକ୍ତ ନାବାଳକୁ ଚିହ୍ନିପାରି ରାତାରାତି ଏ ଘଟଣା ସଂପର୍କରେ ତାଙ୍କ ମାଆଙ୍କୁ ଜଣାଇଥିଲେ। ସଂପୃକ୍ତ ପରିବାର ଅଭିଯୋଗକୁ ଅସ୍ବୀକାର କରିଥିଲେ। ଗ୍ରାମସଭାରେ ଏହାର ସମାଧାନ ଉଦ୍ୟମ ‌ହୋଇଥିଲେ ମଧ୍ୟ ପୀଡ଼ିତା ଏଥିରେ ଅସନ୍ତୁଷ୍ଟ ହୋଇଥିଲେ। ପ୍ରକାଶ ଯେ, ୫ ମାସ ତଳେ ବିଶ୍ବ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ଏହି ଥାନା ଅନ୍ତର୍ଗତ କଲରଙ୍ଗି ଜଙ୍ଗଲିଆ ରାସ୍ତାରେ ଜଣେ କଲେଜ୍‌ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏଥିରେ ସଂପୃକ୍ତ ୪ ଜଣଯାକ ଅଭିଯୁକ୍ତ ଏବେ ଜେଲ୍‌ ହାଜତରେ ଅଛନ୍ତି। ଆସନ୍ତାକାଲି ବିଶ୍ବ ଆଦିବାସୀ ଦିବସ ପାଳନ ହେବାକୁ ଥିବା ବେଳେ ଜଣେ ଆଦିବାସୀ ମହିଳା ଗଣଦୁଷ୍କର୍ମର ଶିକାର ହେବା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର