ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଦାନଗଦୀ: ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ପକ୍ଷରୁ ଆଜି ଜଣେ ନାବାଳକ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ; କଳିଙ୍ଗନଗର ଥାନା ଅନ୍ତର୍ଗତ ଝୁମ୍ପାଣ ଗ୍ରାମର ସୁଦାମ ମହାନ୍ତଙ୍କ ପୁଅ ରିଙ୍କୁ ଓରଫ ରଞ୍ଜିତ ମହାନ୍ତ (୩୦), କୃଷ୍ଣଚନ୍ଦ୍ର ମହାନ୍ତଙ୍କ ପୁଅ ବିନୁ ମହାନ୍ତ ଓରଫ ବିଶ୍ୱଜିତ୍ (୨୯), ରାଜେନ୍ଦ୍ର ମହାନ୍ତଙ୍କ ପୁଅ ବିଳାସ ଓରଫ ବୁଟୁରୁ ମହାନ୍ତ, ଖରଖାଇର ଅଲେଖ ବେହେରାଙ୍କ ପୁଅ ରବି ବେହେରା (୨୦) ଏବଂ ଜଣେ ନାବାଳ(୧୬)। ଅଭିଯୁକ୍ତ ନାବାଳକକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଯାଇଛି। ଅନ୍ୟ ୪ଜଣଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଆନନ୍ଦପୁର ଥାନା ଅଞ୍ଚଳର ଭାଇଭଉଣୀ କାଳିଆପାଣିରେ ରହୁଥିବା ବଡ଼ଭଉଣୀ ଘରକୁ ଯିବା ପାଇଁ ରବିବାର ସନ୍ଧ୍ୟାରେ ଡ଼ୁବୁରୀ ଛକରେ ଗାଡ଼ିକୁ ଅପେକ୍ଷା କରିଥିଲେ l ତୁହାକୁ ତୁହା ପ୍ରବଳ ବର୍ଷା ହେଉଥିବାରୁ ଖଣି ଅଞ୍ଚଳକୁ ସେମାନେ ଗାଡ଼ି ପାଇନଥିଲେ l ଶେଷରେ ପାଦରେ ଚାଲି ଚାଲି ଯିବାକୁ ବାହାରିଥିବାବେଳେ ଅଭିଯୁକ୍ତମାନେ ଏହି ନାବାଳକ ଭାଇ ଭଉଣୀଙ୍କୁ ପିଛା କରିଥିଲେ। ଆଶ୍ରୟ ଦେବାକୁ କହି ଝୁମ୍ପାଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ନେଇଥିଲେ। ପରେ ରାତି ପ୍ରାୟ ୧୦ଟା ବେଳେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ନାବାଳିକାଙ୍କ ଭାଇକୁ ନିସ୍ତୁକ ମାଡ଼ ମାରି ତଡ଼ି ଦେଇଥିଲେ। ପରେ ନାବାଳିକାକୁ ଛାତ ଉପରକୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପୀଡ଼ିତା ଜଣକ ସେମାନଙ୍କ କବଳରୁ ଖସିବା ପାଇଁ ଶିଡ଼ିରୁ ତଳକୁ ଡେଇଁ ପଡ଼ିଥିଲେ। ଆହତ ଅବସ୍ଥାରେ ଏକ ବୁଦାମୂଳେ ଆତ୍ମଗୋପନ କରିଥିଲେ। ନାବାଳିକାଙ୍କ ଭାଇ ପାଖ ଗ୍ରାମରେ ଖବର ଦେବାପରେ ପୁଲିସ ସେଠାରେ ପହଞ୍ଚି ଅନେକ ଖୋଜାଖୋଜି କରି ନାବାଳିକାଙ୍କୁ ଏକ ଝାଟି ଜଙ୍ଗଲ ମଧ୍ୟରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲା l ଗୁରୁତର ଅବସ୍ଥାରେ ନାବାଳିକାକୁ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏହି ଗଣଦୁଷ୍କର୍ମ ଘଟଣାରେ କଳିଙ୍ଗନଗର ପୁଲିସ ଦଫା ୩୭୬(ଡି.ଏ), ୩୯୫ ଆଇପିସି, ପୋକ୍ସୋ ଆଇନ, ଅନୁସୂଚିତ ଜାତି ଜନଜାତି ଆଇନ ବଳରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତକୁ ଗିରଫ କରିଥିବା ଥାନା ଅଧିକାରୀ ପ୍ରିୟବ୍ରତ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର