ସମ୍ବଲପୁର/ରେଂଗାଲି: ବିଶ୍ବାସରେ ବିଷ ଦେଲା ପ୍ରେମିକ। ନାବାଳିକା ପ୍ରେମିକା(୧୭ ବର୍ଷ)ଙ୍କୁ ଯୋଜନାବଦ୍ଧ ଭାବେ ରାତିରେ ଗାଁ ସ୍କୁଲକୁ ଡାକି ନାବାଳକ ପ୍ରେମିକ ନିଜେ ଦୁଷ୍କର୍ମ କରିବା ସହିତ ନିଜ ଅନ୍ୟ ୩ ସାଙ୍ଗଙ୍କ ହାତରେ ଟେକି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତମାନେ ବାରମ୍ବାର ଦୁଷ୍କର୍ମ କରିବା ପରେ ଅଭିଯୋଗ କଲେ ନାବାଳିକା ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଭୟ ଦେଖାଇଥିଲେ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଥାନା ଅଞ୍ଚଳରେ। ପୁଲିସ ଏହି ଘଟଣାରେ ନାବାଳକ ପ୍ରେମିକ ସହିତ ସୁରଜ ଓରାମ (୨୧), ବୀରେନ୍ଦ୍ର ମୁଣ୍ଡା (୨୫) ଓ ପିଣ୍ଟୁ ଓରାମ (୨୦)କୁ ଗିରଫ କରି କୋର୍ଟଚାଲାଣ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରାପ୍ତ ଅନୁଯାୟୀ, ଗତ ୨ ମାସ ତଳେ ନାବାଳିକାଙ୍କ ବାପାଙ୍କ ଅକାଳ ବିୟୋଗ ଘଟିଥିଲା। ଏବେ ପରିବାରରେ ମା’ ଓ ନାବାଳିକାଙ୍କୁ ନେଇ ୩ ପୁଅଝିଅ। ପରିବାରର ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ବାପା ଚାଲିଗଲା ପରେ ମା’ ଦିନମଜୁରିଆ ଭାବେ କାମ କରି ପିଲାଙ୍କୁ ପୋଷୁଥିଲେ। ଦୁଇ ସାନ ଭାଇଭଉଣୀ ସ୍କୁଲରେ ପାଠ ପଢ଼ୁଥିବା ବେଳେ ପୀଡ଼ିତା ଅନେକ ସମୟରେ ପରିବାରର ଆର୍ଥିକ ବୋଝ ସମ୍ଭାଳିବା ପାଇଁ ମା’ଙ୍କ ସହିତ କାମ କରିବାକୁ ବି ଯାଉଥିଲେ। ମାସେ ତଳେ ଗାଁର ‌ଜଣେ ଯୁବକ ତାଙ୍କୁ ଫୋନ୍‌କୁ କଲ୍‌ କରି ବାରମ୍ବାର ପ୍ରେମ ନିବେଦନ କରିଥିଲା। ପୀଡ଼ିତାଙ୍କଠାରୁ ଯୁବକ ଜଣକ ବୟସରେ ଗୋଟିଏ ବର୍ଷ ସାନ ହୋଇଥିଲେ ବି ବାରମ୍ବାର କଥାବାର୍ତ୍ତା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପ୍ରେମିକ ଜଣକ ବିବାହ ପାଇଁ ପ୍ରତିଶ୍ରୁତି ବି ଦେଇ ଆସୁଥିଲା।

ଗତ ଗୁରୁବାର ରାତିରେ ଦେଖାକରିବା ବାହାନାରେ ପ୍ରେମିକାକୁ ପ୍ରେମିକ ଜଣକ ଡାକିଥିଲା। ପ୍ରେମିକର କଥାକୁ ବିଶ୍ବାସକରି ରାତି ସାଢ଼େ ୯ଟା ପାଖାପାଖି ଘରେ ମିଛ କହି ନାବାଳିକା ଜଣକ ପାଖରେ ଥିବା ଏକ ସ୍କୁଲକୁ ଯାଇଥିଲେ। ପ୍ରଥମେ ପ୍ରେମିକ ନାବାଳିକାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲା। ଆଉ ଏହା ପରେ ତାଙ୍କୁ ଜୋରଜବରଦସ୍ତ ଅଟକାଇ ରଖି ଜଣେ ପରେ ଜଣକୁ କଲ୍‌ କରି ଡାକିଥିଲା। ପୀଡ଼ିତା ସେଠାରୁ ପଳାଇ ଆସିବାକୁ ଚେଷ୍ଟା କରୁଥିବା ସମୟରେ ପାଖରେ ଲୁଚି ରହିଥିବା ୩ ଜଣ ଯୁବକ ସେଠାରେ ପହଂଚି ଯାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ବିବାହିତ ବ୍ୟକ୍ତି ବି ଥିଲେ। ସେମାନେ ପୀଡ଼ିତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଟକ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ବିଷୟରେ କାହାକୁ କହିଲେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

ଶୁକ୍ରବାର ଦିନ ପୀଡ଼ିତା ତାଙ୍କ ସହିତ ଘଟିଥିବା ଅକଥନୀୟ ନିର୍ଯାତନା ସଂକ୍ରାନ୍ତରେ ଘରେ ଜଣେଇଥିଲେ। କିନ୍ତୁ, ଜୀବନରୁ ମାରିଦେବେ ଭାବି ସେମାନେ ଭୟଭୀତ ଅବସ୍ଥାରେ ଥିଲେ। ଶନିବାର ପୀଡ଼ିତା ତାଙ୍କର ଜଣେ ସଂପର୍କୀୟ ବଡ଼ ଭଉଣୀଙ୍କୁ ଏ ବିଷୟରେ ଜଣାଇବା ପରେ ସେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଶନିବାର ରାତିରେ ପୀଡ଼ିତା ରେଙ୍ଗାଲି ଥାନାରେ ଅଭିଯୋଗ କରିଥି‌ଲେ। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହିତ ତ୍ବରିତ ପ‌ଦକ୍ଷେପ ନେଇଥିଲା। ଏଭଳି ଅମାନବୀୟ ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ରବିବାର ରାତିରେ ଧରିଥିଲା। ଅଭିଯୁକ୍ତ ସୁରଜ ଓରାମ, ବୀରେନ୍ଦ୍ର ମୁଣ୍ଡା ଓ ପିଣ୍ଟୁ ଓରାମକୁ ପୁଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଥିବା ବେଳେ ନାବାଳକଙ୍କୁ କିଶୋର ନ୍ୟାୟ ବୋର୍ଡରେ ହାଜର କରିଛି।