ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯୁକ୍ତ ୨ରେ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ତାଙ୍କର ୮ ସହପାଠୀ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ଥାନା ପୁଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ଏହି ଗଣବଳାତ୍କାରରେ ସଂପୃକ୍ତ ସହପାଠୀମାନଙ୍କୁ ଅଟକ ରଖିଛି। ବର୍ତ୍ତମାନ ସାରା ରାଜ୍ୟରେ ରାଜନୈତିକ ବାତାବରଣ ଲାଗି ରହିଥିବା ବେଳେ ଏହି ଘଟଣା ଯେପରି ସାମ୍ନାକୁ ନଆସିବ ସେ ନେଇ ସବୁଆଡୁ ଉଦ୍ୟମ କରାଯାଉଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ସହରର ଏକ ଘରୋଇ ସ୍କୁଲରେ ପଢ଼ୁଥିବା ପୀଡ଼ିତା ଛାତ୍ରୀଙ୍କୁ ତାଙ୍କର ଜଣେ ବାଳକ ସହପାଠୀ ଗତ ଶୁକ୍ରବାର ନିଜ ଘରକୁ ଡାକିଥିଲେ। ଏହି ସମୟରେ ସହପାଠୀଙ୍କ ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ ଅନ୍ୟ ୭ ଜଣ ସହପାଠୀ ଉପସ୍ଥିତ ଥିଲେ। ସଭିଏଁ ମିଶି କିଛି ସମୟ କଥାବାର୍ତ୍ତା ପରେ ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ମୃଦୁପାନୀୟ ପିଇବାକୁ ଦେଇଥିଲେ। ସେହି ମୃଦୁପାନୀୟ ପିଇବା ପରେ ଛାତ୍ରୀ ଜଣଙ୍କ ଅଚେତ ହୋଇ ପଡିଥିଲେ। ଏହାପରେ ଜଣେ ପରେ ଜଣେ ସହପାଠୀ ତାଙ୍କୁ ବଳାତ୍କାର କରିଥିଲେ। ଛାତ୍ରୀଙ୍କ ଚେତା ଫେରିବା ପରେ ସେ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ କହିଥିଲେ।
ଏହାପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବା ସହ ଏମ୍କେସିଜି ମେଡିକାଲରେ ଡାକ୍ତରୀ ମାଇନା କରାଯାଇଛି। ଯେଉଁ ଛାତ୍ର ଜଣଙ୍କ ଛାତ୍ରୀଙ୍କୁ ଘରକୁ ଡାକି ନେଇଥିଲେ ତାଙ୍କୁ ପୁଲିସ ପ୍ରଥମେ କାବୁ କରିଥିଲା। ଏହା ପରେ ପରେ ଅନ୍ୟ ଛାତ୍ରଙ୍କୁ ଉଠାଇ ନେଇଛି। ଆଜି ସୋରଡ଼ାରୁ ଜଣେ ଛାତ୍ରଙ୍କୁ କାବୁ କରାଯାଇଥିବା ସୂଚନା ମିଳିଛି। ସମସ୍ତ ଛାତ୍ରଙ୍କ ଡାକ୍ତରୀ ମାଇନା କରାଯାଇଛି। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ଏ ସମ୍ପର୍କରେ ଅଧିକ ସୂଚନା ଦେଉନାହିଁ। ଏପଟେ ଏହି ଘଟଣାକୁ ନେଇ ସଂପୃକ୍ତ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଆଜି ବିଳମ୍ବିତ ରାତିରେ ‘ସମ୍ବାଦ’କୁ ଅତିରିକ୍ତ ଏସ୍ପି କହିଛନ୍ତି ଯେ ଘଟଣାଟି ଗତ ୩ ତାରିଖରେ ଘଟିଥିଲା। ୫ ତାରିଖ ଦିନ ଅଭିଯୋଗ ହେବାରେ ବୈଦ୍ୟନାଥପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ୮ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/rape1.jpg)