ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ, ୨ ଗିରଫ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ମୂକ ବଧିର ଦିବ୍ୟାଙ୍ଗ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ ଗୁରୁବାର ଦିନ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ ଅଲୁଣୀ ଗ୍ରାମ ବିଜାଖୋଳ ଗ୍ରାମର ବାରିଆଲ ମାରାଣ୍ଡି(୨୩) ଓ ଅନ୍ୟ ଜଣେ ନାବାଳକ ଅଛନ୍ତି।

କିଛି ମାସ ତଳେ ଦିବ୍ୟାଙ୍ଗ ନାବାଳିକା ଜଣଙ୍କ ନାଳକୁ ପାଣି ଆଣିବାକୁ ଯାଇଥିବା ବେଳେ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ। ଏନେଇ ସେ କାହାକୁ କିଛି କହି ନଥିଲେ। ଏବେ ସେ ୪/୫ ମାସର ଗର୍ଭବତୀ। ଗର୍ଭବତୀ ଥିବା ଜଣାପଡ଼ିବା ପରେ ଘଟଣାକୁ ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ ପକ୍ଷରୁ ୨୦୫/୨୦୨୨ ଦଫା ୩୭୬ଡି, ୩୭୬(୨)ଏଲ ଓ ୬ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ନିଜେ ତେଲକୋଇ ଥାନାକୁ ଆସି ଘଟଣାର ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର