ବଳାତ୍କାର ଉଦ୍ୟମର ଦଣ୍ଡ

ଦୁଇ ଚାପୁଡ଼ା

ନିକଟରେ ଛତିଶଗଡ଼ର ଯଶପୁରରେ ଯାହା ଘଟିଯାଇଛି, ତାହାକୁ ଆମ ସମାଜର ଏକବିଂଶ ଶତାବ୍ଦୀରୁ ମଧ୍ୟ-ଯୁଗକୁ ପଶ୍ଚାତ୍‌ଗତି ବୋଲି ଅଭିହିତ କରାଯାଇପାରେ। ଘଟଣାଟି ଏହିପରି। ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉପରେ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ବିଚାର କରି ଅଭିଯୁକ୍ତ ଯୁବକଟି ପାଇଁ ଗାଁ ପଞ୍ଚାୟତ ଯେଉଁ ଦଣ୍ଡବିଧାନ କଲେ, ତାହା ହେଉଛି ଦୁଇଟି ଚାପୁଡ଼ା। ଏହି ଚଟକଣା ସହିତ ବିଚାର ସମାପ୍ତ ହୋଇଥିଲା ଏବଂ ପୀଡ଼ିତାଙ୍କ ପରିବାରକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେମାନେ ଯେମିତି ପୁଲିସ୍‍ ନିକଟରେ ଆଉ ଅଭିଯୋଗ ନ କରନ୍ତି। ପୀଡ଼ିତାଙ୍କ ପିତାମାତା ଏହାକୁ ମୁଣ୍ଡ ପାତି ମାନିନେଇଥିଲେ। ତେବେ, ଏହି ପଞ୍ଚାୟତର ବିଚାରର ଏକ ଭିଡିଓ ଭାଇରାଲ୍ ହେବା ପରେ ଗତ ଶନିବାର ଦିନ ପୁଲିସ୍ ନିଜ ଆଡୁ ଏ ବାବଦରେ ଏକ ମାମଲା ରୁଜୁ କରିଛନ୍ତି।

ଆମ ରାଷ୍ଟ୍ରର ବିଡ଼ମ୍ବନା ହେଉଛି ଏଠାରେ ନାରୀମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ରୋକିବା ଲାଗି କଠୋର ଆଇନର ବ୍ୟବସ୍ଥା ରହିଥିଲେ ସୁଦ୍ଧା ପୁରୁଷ ପ୍ରାଧାନ୍ୟର ପ୍ରତୀକ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ସମାନ୍ତରାଳ ବିଚାରମାନ ଚାଲିଛି ଏବଂ ପୀଡ଼ିତାମାନଙ୍କୁ ଏଭଳି ହାସ୍ୟାସ୍ପଦ (ଅ)ନ୍ୟାୟ ପ୍ରଦାନ କରାଯାଇ ଚାଲିଛି। ଏଥିରେ ଦୁଷ୍କର୍ମକାରୀମାନଙ୍କ ପ୍ରତି ‌େଯଉଁଭଳି ଆଭିମୁଖ୍ୟ ପ୍ରଦର୍ଶନ କରାଯାଉଛି, ତାହା ବଳାତ୍କାର ଭଳି ଅପରାଧ ଘଟାଇବା ସକାଶେ ଉଚ୍ଛୃଙ୍ଖଳ ଯୁବକମାନଙ୍କୁ ପ୍ରୋତ୍ସାହନ ମିଳୁଛି।

ଉପରୋକ୍ତ ଘଟଣାରେ ପୀଡ଼ିତା ଜଣେ କଲେଜ ଛାତ୍ରୀ। କିନ୍ତୁ ଏକ ପୁରୁଷତାନ୍ତ୍ରିକ ସମାଜରେ ଜଣେ ଶିକ୍ଷିତା ନାରୀ ମଧ୍ୟ କିଭଳି ନିରବ ରହିବାକୁ ବାଧ୍ୟ ହୁଅନ୍ତି, ଏହା ହେଉଛି ତାର ଏକ ପ୍ରମାଣ। କିନ୍ତୁ ଯାହା ଉଦ୍‌ବେଗଜନକ ତାହା ହେଲା ଏ ପ୍ରସଙ୍ଗରେ ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତରେ କେହି ହେଲେ ଏଭଳି ବିଚାର ବ୍ୟବସ୍ଥାକୁ ବନ୍ଦ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଏ କ୍ଷେତ୍ର‌େର କେବଳ ଅଦାଲତ ହିଁ ପଦକ୍ଷେପ ନେଇ ନାରୀ ନିର୍ଯାତନା କ୍ଷେତ୍ରରେ ସମାନ୍ତରାଳ ବିଚାର ବ୍ୟବସ୍ଥାରେ ଅନ୍ତ ଘଟାଇବା ଜରୁରି।

ସମ୍ବନ୍ଧିତ ଖବର