ସମ୍ବଲପୁରରେ ଚାଞ୍ଚଲ୍ୟ, ରାତିରେ ଶୋଇଥିବା ଅବସ୍ଥାରେ ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ

ସମ୍ବଲପୁର : ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଥିବା ସମୟରେ ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ଶାସନ ଥାନାରେ ଅଭିଯୋଗ ମଧ୍ୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁର ଜଣେ ଓ୍ବେଲ୍ଡିଂ ମିସ୍ତ୍ରୀଙ୍କର ୧୧ ବର୍ଷ ବୟସ୍କା ନାବାଳିକା କନ୍ୟା ନିଜର ଆଈଙ୍କ ସହ ଘରେ ଶୋଇଥିଲେ। ରାତି ପାଖାପାଖି ଦୁଇଟା ବେଳେ କେହି ଜଣେ ଅସାମାଜିକ ଯୁବକ ଘରର ପଛପଟ କବାଟ ଖୋଲି ଘର ଭିତରକୁ ପଶିଥିଲା। ସେ ପୀଡ଼ିତା ନାବାଳିକାଙ୍କୁ ଉଠାଇ ନେଇଥିଲା। ତା’ପରେ ସେ ଗ୍ରାମ ଦେବୀଙ୍କ ମନ୍ଦିର ପାଖରେ ନାବାଳିକା ସହ ଦୁଷ୍କର୍ମ କରି ପଳାଇଥିଲା।

ଭୋର୍ ସମୟରେ ପୀଡ଼ିତା ଉଠି ଘରକୁ ଫେରି ସବୁ କଥା କହିଥିଲେ। ତା’ପରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ନାବାଳିକାଙ୍କ ଡାକ୍ତରୀମାଇନା ହେବା ପରେ ତାଙ୍କର ଚିକିତ୍ସା ଚାଲିଛି। ପରେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଶାସନ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଣେ ପୀଡ଼ିତା ଦୁଷ୍କର୍ମକାରୀକୁ ଚିହ୍ନିପାରିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର