ନାବାଳିକା ଦୁଷ୍କର୍ମ ମାମଲା: ଆସାମୀକୁ ୧୦ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ୭ ବର୍ଷ ପୂର୍ବର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପକ୍‌ସୋ ଅଦାଲତ ଜଜ୍ ସୁମିତା ଜେନା ଆସାମୀ ଶୁକୁରା ସିଂ (୪୦)ଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅତିରିକ୍ତ ୪ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବାକୁ ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ; ୨୦୧୫ ମସିହା ଜୁନ ୨୭ ତାରିଖରେ ୮ ବର୍ଷୀୟା ନାବାଳିକା ଜଣକ ଘରେ ଏକୁଟିଆ ଥିଲା ବେଳେ ଆସାମୀ ଶୁକୁର ସିଂ ତାଙ୍କୁ ଚକଲେଟ୍ ଖାଇବାକୁ ଲୋଭ ଦେଖାଇ ଗାଁ ପାଖ ନଦୀବନ୍ଧକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ତେବେ ନାବାଳିକାଙ୍କ ଜଣେ ସମ୍ପର୍କୀୟ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା।

ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଜୁନ୍‌ ୩୦ ତାରିଖରେ ଝାରପୋଖରିଆ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କେସ୍‌ ନଂ ୮୭/୨୦୧୫ରେ ମାମଲା ରୁଜୁ କରି ଅଭିଯୁକ୍ତ ଶୁକୁରକୁ କୋର୍ଟ ଚାଲାଣ କରିଥିଲା। ସେହି ଦିନଠୁ ଶୁକୁର ବାରିପଦା ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ରହି ଆସୁଥିଲା। ଏହି ମାମଲାରେ ୧୬ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷୀଙ୍କ ବୟାନ, ଡାକ୍ତରୀମାଇନା ରିପୋର୍ଟକୁ ଆଧାର କରି ବିଚାରପତି ରାୟ ଶୁଣାଇଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର