ବରୀ: ବରୀ ଥାନା ଅଞ୍ଚଳରେ ଗତ ୧୭ ତାରିଖ ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଛି। ନାବାଳିକାଜଣଙ୍କ ସେଦିନ ସନ୍ଧ୍ୟା ପ୍ରାୟ ୮ଟାରେ ସାହିର ଏକ ଘରୁ ଅନ୍ୟ ଘରକୁ ଏକାକୀ ଆସୁଥିଲେ। ଏହି ସମୟ​ରେ ତାଙ୍କୁ ଏକୁଟିଆ ପାଇ ଘର ପାଖ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା ଦୁର୍ବୃତ୍ତ। ସଂପୃକ୍ତ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ପରିବାର ଲୋକ ଘରପାଖ ବାଡ଼ିରୁ ଝିଅକୁ ଉଦ୍ଧାର କରିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ଥାନା ପକ୍ଷରୁ ୬୧/୨୩ରେ ମାମଲା ରଜୁ କରାଯାଇଛି। ଥାନା ଅଧିକାରୀ ଘଟଣାସ୍ଥାକୁ ଯାଇ ତଦନ୍ତ କରିବା ସହିତ ନାବାଳିକାଙ୍କ ଡାକ୍ତରୀ ମାଇନା କରାଇଛନ୍ତି।

Advertisment

ଅଭିଯୋଗ ଅନୁସାରେ ଅଭିଯୁକ୍ତ ଯୁବକ ବାଇଁଶିରିଆ ଗ୍ରାମର ତାରାପ୍ରସାଦ ବାରିକ (୨୯)। ନାବାଳିକାଙ୍କୁ ପାଟିରେ ହାତ ଦେଇ ରାସ୍ତାରୁ ସେ ଟେକି ନେଇଥିଲା। ଦୁଷ୍କର୍ମ ପରେ ଓନିରେ ନାବାଳିକାଙ୍କ ବେକକୁ ଭିଡ଼ି ମାରି ଦେବାକୁ ଉଦ୍ୟମ କରିଥିଲା। ଝିଅର ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରି ବାଡ଼ି ପଟକୁ ଯିବାରୁ ତାରାପ୍ରସାଦ ଦୌଡ଼ି ପଳାଇଥିଲା। ଅଚେତ ଅବସ୍ଥାରେ ବିବସ୍ତ୍ର ହୋଇ ପଡ଼ିଥିବା ଝିଅକୁ ଉଦ୍ଧାର କରି ପରିବାର ଲୋକ ସେବାଯତ୍ନ କରିଥିଲେ। ଅପରପକ୍ଷରେ ଅଭିଯୁକ୍ତ ପରିବାର ପକ୍ଷରୁ ଘଟଣାକୁ ଚପାଇଦେବାକୁ ଜୋରଦାର ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି। ପ୍ରାଥମିକ ତଦନ୍ତ ପରେ ବରୀ ପୁଲିସ ମାମଲା ରଜୁ କରିଥିଲେ ହେଁ ଅଭିଯୁକ୍ତକୁ ଏଯାଏ ଗିରଫ କରିନଥିବାରୁ ପୀଡ଼ିତାଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି।