ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ ଜେଲ୍‌

ବାଲେଶ୍ବର: ବାଲେଶ୍ବର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି। ଏଥିସହ ୧୧ହଜାର ଟଙ୍କାର ଜରିମାନା ମଧ୍ୟ ରାୟରେ ଉଲ୍ଲେଖ ରହିଥିବା ଜଣାଯାଇଛି। ଖଇରା ଥାନା ଅଧୀନ ନଛିପୁର ଗ୍ରାମର କୃଷ୍ଣଚନ୍ଦ୍ର ଶନିବିଗ୍ରହ(୪୫) ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଖଇରା ଥାନାରେ ୧୨୩/୨୦୧୫ରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପରେ ଏହି ମାମଲା ୧୨୩/୨୦୧୫ ଓ ବାଲେଶ୍ବର ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ମାମଲା ନମ୍ବର ୨୦୭/୨୦୧୫ରେ ବିଚାରଧୀନ ଥିଲା।

ଆଜି ପୂର୍ବାହ୍ନରେ ମାନ୍ୟବର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଏହି ମାମଲାର ବିଚାର କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଶନିବିଗ୍ରହକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଧାରା ୩୭୬(୨), (ଆଇ) ଓ ୫୦୬ରେ ୧୦ ବର୍ଷ ଜେଲ୍‌ଦଣ୍ତ ସହ ୧୧ହଜାର ଟଙ୍କା ଜରିମାନା ଏବଂ ଅନାଦେୟରେ ୧ବର୍ଷ ଅଧିକ ଜେଲଦଣ୍ତର ଭୋଗିବାକୁ ପଡ଼ିପାରେ ବୋଲି ରାୟ ଶୁଣାଣି କରିଛନ୍ତି। ଏଥିସହ ପୀଡ଼ିତାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାୟରେ ଉଲ୍ଲେଖ ଥିବା ଜଣାଯାଇଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ କୁମାର ପଣ୍ତା ଏହି ସମ୍ବେଦନଶୀଳ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର