ନାବାଳିକା ଦୁଷ୍କର୍ମକାରୀକୁ ୧୧ ବର୍ଷ ଜେଲ୍‌, ୧୪ ହଜାର ଜରିମାନା

ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କାର ସହାୟତା ଦେବାକୁ ନିର୍ଦ୍ଦେଶ

ବାଲେଶ୍ବର: ବାଲେଶ୍ବର ପକ୍‌ସୋ ଅଦାଲତର ବିଚାରପତି ରଂଜନ କୁମାର ସୂତାର ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୧୧ ବର୍ଷ ଜେଲ୍‌ ଦଣ୍ତ ସହ ୧୪ ହଜାର ଟଙ୍କାର ଜରିମାନା ଏବଂ ଅନାଦେୟ ହେଲେ ଅଧିକ ୧ ବର୍ଷର ଜେଲ ଦଣ୍ତାଦେଶ ଦେଇଛନ୍ତି। ଏଥିସହ ବିଚାରପତିଙ୍କ ପକ୍ଷରୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ ନିମନ୍ତେ ରାୟରେ ଉଲ୍ଲେଖ ରହିଛି।

୨୦୧୭ ମସିହା ଜୁଲାଇ ମାସ ୩ ତାରିଖର ଘଟଣା। ବସ୍ତା ଥାନା ଅଧୀନ ହଳଦୀପଦା ଗ୍ରାମର ଜଣେ ନାବାଳିକା ସହ ଖନ୍ତାପଡ଼ା ଥାନା ଅଧୀନ ମହାରାଜପୁର ଗ୍ରାମର ଜଳଧର ସେଠୀ ନାମକ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାର ବାପାମା ସ୍ଥାନୀୟ ଅଞ୍ଚଳକୁ ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ନାବାଳିକାଜଣକ ଅସୁସ୍ଥ ହୋଇ ଘରେ ଥିବା ସମୟରେ ତା ସହ ଏପରି ଘଟିଥିଲା। ଏନେଇ ଗ୍ରାମବାସୀଙ୍କ ତରଫରୁ ବିଚାର କରାଯାଇଥିଲା।

ସେଥିରେ ତତ୍କାଳୀନ ସ୍ଥାନୀୟ ସରପଂଚ ଏବଂ କେତେଜଣ ମୁଖିଆଶ୍ରେଣୀର ବ୍ୟକ୍ତିଙ୍କ ଉପସ୍ଥିତିରେ ଗ୍ରାମର କିଛି ଲୋକ ନାବାଳିକାର ବାପାକୁ ନିସ୍ତୁକ ମାଡ଼ ମାରି ମୁଣ୍ତ ଫଟାଇ ଦେବା ସହ ଏକଥା ବାହାରକୁ ପ୍ରଘଟ ନକରିବା ପାଇଁ ଧମକ ମଧ୍ୟ ଦେଇଥିଲେ। ପରେ ନାବାଳିକାର ବାପା ତାରଫରୁ ବସ୍ତା ଥାନାରେ ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ହୋଇଥିଲା। କେସ୍‌ ନମ୍ବର-୨୨୧/୧୭ରେ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ କେସ୍‌ ନମ୍ବର ୨୨୧/୧୭ ଏବଂ ସ୍ପେଶାଲ କେସ୍‌ ନମ୍ବର ୩୦୧/୧୭ ପକ୍‌ସୋ ଅଦାଲତରେ ବିଚାରଧୀନ ଥିଲା। ଆଜି ଅପରାହ୍‌ଣରେ ମାନ୍ୟବର ବିଚାରପତି ଶ୍ରୀ ସୂତାର ଅଭିଯୁକ୍ତ ଜଳଧର ସେଠୀକୁ ଧାରା ୩୭୬ରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଣି କରିଥିଲେ। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପକ୍‌ସୋ ଅଦାଲତର ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ପ୍ରଣବ କୁମାର ପଣ୍ତା ମୋକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର