ନାବାଳିକା ଦୁଷ୍କର୍ମ ମାମଲାରେ ୫ ଗିରଫ

ବୁର୍ଲା: ଗତ ଶନିବାର ଦିନ ବିଳମ୍ବିତ ରାତିରେ ସମ୍ବଲପୁର ବରଗଡ଼ ଜାତୀୟ ରାଜପଥ ଗୋଶାଳା ନିକଟରେ ଥିବା ସମଲେଶ୍ଵରୀ ଢାବାରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ଆଜି ବୁର୍ଲା ପୁଲିସ୍ ସମ୍ପୃକ୍ତ ଢାବା ମାଲିକଙ୍କ ସହିତ ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମଲେଶ୍ଵରୀ ଢାବା ମାଲିକ ବୁର୍ଲା ସହର ନିବାସୀ ଜଗଦୀଶ ମହାନନ୍ଦ (୫୪), ବରଗଡ଼ ମନାବନ୍ଧପଡ଼ା ନିବାସୀ ଆକାଶ ଦାସ (୨୮), ସମ୍ବଲପୁର ମାନିକମୁଣ୍ଡାର ମନୋଜ କଟା (୨୭) , ସମ୍ବଲପୁରର ଦେଉଳବନ୍ଧର ସନ୍ୟାସୀ ପ୍ରଧାନ (୨୭), ଗୋଡ଼ଭଗା ଲକ୍ଷ୍ମଣନଗର ଝରାପଡ଼ାର ବିନୋଦ ଝରା (୨୦) ଏବଂ କୁଚିଣ୍ଡା ମୂଳନିବାସୀ ଏବଂ ଏବ‌େ ଝାରସୁଗୁଡ଼ା ବମ୍ବେ ଛକରେ ରହୁଥିବା ସୁଜାତା ଦାସ (୩୪)। ଗଣଦୁଷ୍କର୍ମରେ ବ୍ୟବହୃତ ହୋଇଥିବା କାର୍‌( ଓଡ଼ି ୧୫ ୟୁ ୬୧୨୯) କୁ ମଧ୍ୟ ପୁଲିସ୍ ଜବତ୍ କରିଥିବା ପୁଲିସ୍ ସୂତ୍ରରୁ ସୂଚନା ମିଳିଛି।

ପୁଲିସ୍ ସୂଚନା ଅନୁଯାୟୀ ଗତ ଶନିବାର ଦିନ ପ୍ରାୟ ସନ୍ଧ୍ୟା ୮ ଟାରେ ସୁଜାତା ରାତ୍ରି ଭୋଜନ କରିବା ପାଇଁ ପୀଡ଼ିତା ନାବାଳିକାଙ୍କୁ ନିଜ ସାଂଗରେ ଡାକି ନେଇଥିଲା । ରାତି ୧୧ଟା ପର୍ଯ୍ୟନ୍ତ ଝିଅ ଘରକୁ ନଆସିବାରୁ ପୀଡ଼ିତାଙ୍କ ବାପା ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ତାଙ୍କ ଝିଅ ଖାଇବା ପାଇଁ ଗୋଶାଳା ପାଖ ସମଲେଶ୍ଵରୀ ଢାବାକୁ ଯାଇଥିବା ଜାଣି ସେଠାରେ ପହଂଚି ଥିଲେ। ସେଠାରେ ତାଙ୍କ ନାବାଳିକା ଝିଅ ସହିତ ଗଣଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ। ସେ ବୁର୍ଲା ପୁଲିସ୍‌କୁ ତୁରନ୍ତ ସୂଚନା ଦେଇଥିଲେ।

ସଙ୍ଗେ ସଙ୍ଗେ ପୁଲିସ୍ ଇଆର୍‌ଭି ଭ୍ୟାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ପଠାଇଥିଲା। ରବିବାର ଦିନ ନାବାଳିକାଙ୍କ ବାପା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ୍ ଏହାକୁ ଗୁରୁତ୍ଵ ଦେଇ ବିଭିନ୍ନ ସ୍ଥାନରେ ତନାଘନା କରିଥିଲା। ଶେଷରେ ପୁଲିସ୍ ଜାଣିବାକୁ ପାଇଲା ଯେ ଏହି ଗଣଦୁଷ୍କର୍ମ ଘଟଣାରେ ସୁଜାତା ଏବଂ ଢାବା ମାଲିକ ଜଗଦୀଶ ଆଗରୁ ଯୋଜନା କରିଥିଲେ। ସୁଜାତା ଆଗରୁ ଗଣଦୁଷ୍କର୍ମରେ ସଂପୃକ୍ତ ଚାରି ଯୁବକଙ୍କ ସହିତ ଯୋଗାଯୋଗ କରିଥିଲେ। ରାତ୍ରି ଭୋଜନ ପାଇଁ ଆଣିଥିବା ନାବାଳିକା ଝିଅର ବିନା ସହମତିରେ ପୂର୍ବରୁ ଢାବାରେ ଥିବା ଆକାଶ, ମନୋଜ, ସନ୍ୟାସୀ ଏବଂ ବିନୋଦ ଏକ କାର୍‌ରେ ଗଣଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର