କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଜଣେ ଭିନ୍ନକ୍ଷମ ଶିଶୁ କନ୍ୟାକୁ ଦୁଷ୍କର୍ମ ହେବା ଭଳି ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତ ଡେଲିନ ବାଗ (୨୬ ବର୍ଷ)କୁ ଗିରଫ କରିଛି।

Advertisment

ପ୍ରକାଶ ଯେ, ଶନିବାର ଅପରାହ୍‌ଣରେ ପୀଡ଼ିତା ନିଜ ଅଜାଙ୍କ ସହିତ ପଡ଼ୋଶୀ ଗାଁକୁ ଦଣ୍ଡ ନାଚ ଦେଖିବା ପାଇଁ ଯାଇଥିଲା। ସେଠାରେ ଶିଶୁଟି ନାଚ ଦେଖୁଥିବା ବେଳେ ଅଜା ମଦ ପିଇ ନିଶାସକ୍ତ ହୋଇଯାଇଥିଲେ। ଫଳରେ ସେ ନାତୁଣୀକୁ ସାଇକଲରେ ବସାଇ ଘରକୁ ଫେରିବା ଅବସ୍ଥାରେ ନଥିଲେ। ଅନ୍ୟ ଏକ ଗାଁର ଚିହ୍ନା ଯୁବକ ଡେଲିନକୁ ଡାକି ନାତୁଣୀକୁ ଘରେ ଛାଡ଼ି ଦେବାକୁ କହିଥିଲେ। ଡେଲିନ ଶିଶୁଟିକୁ ସାଇକଲରେ ବସାଇ ଘରକୁ ନେବା ବାଟରେ ଏକ ନିଛାଟିଆ ସ୍ଥାନରେ ଦୁର୍ଷ୍କମ କରିଥିଲା। ପରେ ମୁମୂର୍ଷୁ ଅବସ୍ଥାରେ ଶିଶୁକୁ ତା’ର ଘର ସାମ୍ନାରେ ଛାଡ଼ି ଫେରାର୍‌ ହୋଇଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ପୀଡ଼ିତାକୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ର ଡାକ୍ତରୀ ମାଇନା କରାଇଛି। ଶିଶୁଟିର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।