ଦେବଗଡ଼: ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଗତ ରବିବାର ଦେବଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଦେବଗଡ଼ ଥାନା ପୁଲିସ ଏହି ମାମଲାର ତଦନ୍ତ କରି ରିଆମାଳା ଥାନା ଅନ୍ତର୍ଗତ ଝାରପଡା ଗ୍ରାମର ଦଶମୀ ଶବର ଓ ସଞ୍ଜୟ ଶବରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟଙ୍କୁ ବୁଧବାର ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Advertisment

ସୂଚନା ଅନୁଯା‌ୟୀ, ଗତ ୧୫ ତାରିଖ ଦିନ ରିଆମାଳା ଥାନା ଅନ୍ତର୍ଗତ ଝାରପଡ଼ା ଗ୍ରାମର ଦଶମୀ ଓ ସଞ୍ଜୟ କୌଣସି କାମରେ ଧ୍ବଜାଗ୍ରାମରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରୁ ଫେରିବା ବାଟରେ ସନ୍ଧ୍ୟା ପ୍ରାୟ ୭ଟାରେ ପୀଡ଼ିତାଙ୍କ ଘରକୁ ପହଞ୍ଚି ଥିଲେ ଓ ପିଇବା ପାଇଁ ପାଣି ମାଗିଥିଲେ। ପୀଡ଼ିତା ଜଣକ ପାଣି ଦେଇ ନିଜ ଘର ବାରଣ୍ଡାରେ ଥିବା ଖଟିଆ ଉପରେ ବସିଥିବା ବେଳେ ଅଭିଯୁକ୍ତଦ୍ବୟ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ ଅନ୍ୟ କାହା ଆଗରେ ପ୍ରକାଶ କଲେ ହତ୍ୟା ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଦୁଷ୍କର୍ମର ଶିକାର ପୀଡିତା ଜଣକ ଗୁରୁତର ହେବା ସହ ଭୟଭୀତ ହୋଇ ପଡ଼ିଥିଲେ। ପରେ ନିଜ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇ ଗତ ରବିବାର ଦେବଗଡ଼ ଥାନାରେ ଏତଲା ଦେଇଥିଲେ। ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।