ଢେଙ୍କାନାଳ: ଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ ମିଳୁନି। ଅପରପକ୍ଷରେ ଆଇନଜୀବୀଙ୍କ ପକ୍ଷରୁ ଆପୋଷ ବୁଝାମଣା କରିବାକୁ ଆଇନଜୀବୀଙ୍କ ଚାପ ପଡୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା  ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ପଂଚାୟତରେ ଥିବା କୋଲାଣୀଆ ଗ୍ରାମରେ ଘଟିଛି। ଗ୍ରାମରେ ନିଜ ଦୁଇଟି ପିଲାଙ୍କୁ ନେଇ ବସବାସ କରୁଥିବା ଦୁଃଖ ମୁଣ୍ଡାଙ୍କ ସ୍ଵାମୀ ପରିତ୍ୟକ୍ତା ଝିଅଙ୍କୁ ତାଙ୍କ ସମ୍ପର୍କୀୟ ମଉସା ରାଜୁ ମୁଣ୍ଡା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା।

Advertisment

ଏନେଇ ଭୁବନ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ପ୍ରହଲ୍ଲାଦ ସାହୁ  ନାମକ ଜଣେ ଆଇନଜୀବୀ ଏଭଳି ଏକ ଅଭାବନୀୟ ଘଟଣାକୁ ଚାପିବାକୁ ଉଦ୍ୟମ କରିଛନ୍ତି। ସେ ପୀଡିତାଙ୍କୁ ଥାନାରୁ ନେଇ ପଳାଇ ଆସିଥିଲେ।  ଘଟଣା ଚଳିତ ମାସ ୧୧ ତାରିଖ  ଗୁରୁବାର ଠାରୁ ଘଟି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତଦନ୍ତ କରିବା ବଦଳରେ ଭୁବନ ପୁଲିସ ଅଭିଯୋଗକୁ ମଧ୍ୟ ଗ୍ରହଣ କରି ନଥିବା କହିଛନ୍ତି ପୀଡ଼ିତା।

ଏପରିକି ଦଶହଜାର ଟଙ୍କା ନେଇ ଘଟଣାକୁ ରଫାଦଫା କରିବାକୁ ଫୋନ୍ ଯୋଗେ ଆଇନଜୀବୀ ଚାପ ପକାଉଛନ୍ତି ବୋଲି କହିଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ ଗୁରୁବାରି ମୁଣ୍ଡା। ଯାହାକୁ ନେଇ ପରିବାର ସଦସ୍ୟମାନେ ଭୟରେ ଅଛନ୍ତି। ନିଜ ଗାଁ ଛାଡି କଂସରଗୋଡ଼ା ଗ୍ରାମରେ ରମେଶ ମୁଣ୍ଡାଙ୍କ ଘରେ ଆଶ୍ରୟ ନେଇଛନ୍ତି ପରିବାର। ତେବେ ପୁଲିସ ଯଦି ଏହା ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରି କରିବେ ବୋଲି ପୀଡ଼ିତା କହିଛନ୍ତି।