ଗଣଦୁଷ୍କର୍ମ ପୀଡ଼ିତା ୭ ମାସର ଗର୍ଭବତୀ, ମଦ ପିଆଇ ୪ ଅଭିଯୁକ୍ତ କରିଥିଲେ ଦୁର୍ଷ୍କମ

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ବିଧବା ଆଦିବାସୀ ମହିଳା (୩୫)ଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ବେଳେ ମହିଳା ଜଣକ ଏବେ ୭ ମାସର ଗର୍ଭବତୀ ଅଛନ୍ତି। ଲୋକଲଜ୍ୟା ଭୟରେ ଚୁପ୍‌ ରହିଥିବା ପୀଡ଼ିତା ଶେଷରେ ସାହସ ଜୁଟାଇ ଥାନାର ଦ୍ବାରସ୍ଥ ‌ହୋଇ ନ୍ୟାୟ ଭିକ୍ଷା କରିବା ସହ ନିଜର ସୁରକ୍ଷା ଲୋଡ଼ିଛନ୍ତି।

ସ୍ବାମୀଙ୍କର ଅକାଳ ମୃତ୍ୟୁ ପରେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ୭ ମାସ ତଳେ ଅଭିଯୁକ୍ତ ସମ୍ରାୟ ହାଁସଦା (୪୫) ବିଳମ୍ବିତ ରାତିରେ ମହିଳାଙ୍କ ଘରେ ପଶି ତାଙ୍କୁ ଜୋର୍‌ ଜବରଦସ୍ତ ମଦ ପିଆଇ ଏକ ନିଛାଟିଆ ସ୍ଥାନକୁ ଟେକି ନେଇଥିଲା। ସେଠାରେ ପୂର୍ବରୁ ଜଗି ରହିଥିବା ଅନ୍ୟ ତିନିଜଣ ସାନ ହାଁସଦା (୨୦), ଅଭିରାମ ହାଁସଦା (୧୯), ଏସ୍‌କେ ବସିର (୪୩) ସହ ମିଶି ସମ୍ରାୟ ମହିଳାଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା। ନିଶାରେ ଥାଇ ବି ମହିଳା ଜଣଙ୍କ ତାଙ୍କ ସହ ହେଉଥିବା ବର୍ବର କାଣ୍ଡର ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଅଭିଯୁକ୍ତ। ରାତିରେ ବହୁ କଷ୍ଟରେ ଘରକୁ ଫେରିଥିଲେ ପୀଡ଼ିତା। ତେବେ ହତ୍ୟା ଧମକ ଏବଂ ଲୋକଲଜ୍ଜ୍ୟା ଭୟରେ ଏ ସମ୍ପର୍କରେ କାହାକୁ କିଛି ଜଣାଇ ନଥିଲେ।

ଗତ ସପ୍ତାହରେ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ସେ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଶେଷରେ ସାହସ ସଞ୍ଚୟ କରି ଗତକାଲି ମୋରଡ଼ା ଥାନାରେ ପହଞ୍ଚି ସେଦିନର କାଳରାତି ସମ୍ପର୍କରେ ସବୁ କଥା କହିଥିଲେ ପୀଡ଼ିତା। ତାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର