୮ ମାସ ବିତି ଯାଇଥିଲେ ବି ୪ ବର୍ଷୀୟା ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିନାହିଁ ନ୍ୟାୟ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ନୂଆପଡ଼ା ଜିଲ୍ଲା ଯାଦବ ସମାଜ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଜୋଙ୍କ ଥାନା ଅନ୍ତର୍ଗତ ବିରୋମାଲ ଗାଁରେ ଜଣେ ୪ ବର୍ଷର ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୮ ମାସ ବିତି ଯାଇଥିଲେ ବି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳି ନ ଥିବାରୁ ପରିବାର ଲୋକେ ବାରଦୁଆର ହେଉଛନ୍ତି। ଏହି ଘଟଣାରେ ଜିଲ୍ଲା ଯାଦବ ସମାଜର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟି ଆଶ୍ବାସନା ଦେବା ସହ ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରି ଘଟଣାର ପୁନଃ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ, ସରକାରୀ ସହାୟତା ଓ ନାବାଳିକାଙ୍କ ମାଗଣା ଉଚ୍ଚତର ଚିକିତ୍ସା ଯୋଗାଇ ଦେବାକୁ ଦାବି କରିଛନ୍ତି।
ଜିଲ୍ଲା ଯାଦବ ସମାଜର ପ୍ରତିନିଧି ଦଳ ବିରୋମାଲ ଗାଁରେ ପହଞ୍ଚ ପୀଡ଼ିତାଙ୍କ ସମେତ ତାଙ୍କ ବାପା ଓ ମା’ଙ୍କୁ ଭେଟି ଆଶ୍ବାସନା ଦେଇଥିଲେ। ଏହି ଘଟଣାକୁ ନେଇ ଜିଲ୍ଲା ଯାଦବ ସମାଜ ପୀଡ଼ିତାଙ୍କ ପରିବାର ସହିତ ନ୍ୟାୟ ପାଇବା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବ। ନାବାଳିକାଙ୍କ ଉଚ୍ଚତର ଚିକିତ୍ସାରେ ସେଠାରେ ଜିଲ୍ଲା ଯାଦବ ସମାଜର ପକ୍ଷରୁ ପୀଡ଼ିତାଙ୍କ ପରିବାରକୁ ନାବାଳିକାଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆଥିର୍କ ସହାୟତା ରାଶି ଓ ମାସକର ରାସନ ସାମଗ୍ରୀ ପ୍ରଦାନ ଥିଲେ। ଗତକାଲି ଅପରାହ୍ନରେ ଯାଦବ ସମାଜର ପ୍ରତିନିଧି ଦଳ ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ବି ଭେଟିଥିଲେ।


ସୂଚନାଯୋଗ୍ୟ, ଗତ ୨୦୧୯ ଅକ୍ଟୋବାର ୨୨ରେ ବିରୋମାଲ ଗାଁର ଜଣେ ନାବଳକ ଗାଁର ଜଣେ ୪ ବର୍ଷର ଜଣେ ଯାଦବ ସମାଜର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଦୁଇ ମାସ ଧରି ଗାଁରେ ସମାଧାନ କରିବା ପାଇଁ ନାବାଳକଙ୍କ ପରିବାର ଲୋକେ ପୀଡ଼ିତାଙ୍କ ପରିବାରକୁ ଚାପ ପକାଇଥିଲେ। ଗତ ୨୦୧୯ ଡିସେମ୍ବର ୨୨ ତାରିଖରେ ପୀଡ଼ିତାଙ୍କ ବାପା ଜୋଙ୍କ ଥାନାରେ ଅଭିଯୋଗ କରିବାରୁ ୧୪ ବଷୀର୍ୟ ନାବାଳକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୀଡ଼ିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନ କରି ଉଦ୍ଦେଶ୍ୟମୂଳକ ଭାବେ ବୁର୍ଲା ମେଡିକାଲକୁ ପଠାଇଥିଲେ। ଏଣେ ମେଡିକାଲ୍ ସାର୍ଟିଫିକେଟ ଜାଲିଆତି କରି ନାବାଳକ ଜେଲରୁ ଜାମିନରେ ବାହାରି ଏବେ ବେଫିକର ଭାବେ ବାହାରେ ବୁଲୁଛି। ଘଟଣାକୁ ୮ ମାସ ବିତି ଯାଇଥିଲେ ବି ପୀଡ଼ିତାଙ୍କ ପରିବାରକୁ ପୋସ୍କୋ ଆଇନ ଅନୁସାରେ ସହାୟତା ମିଳିନାହିଁ।

ସମ୍ବନ୍ଧିତ ଖବର