ଝାରସୁଗୁଡ଼ା: ଝାରସୁଗୁଡ଼ା ବଡ଼ମାଲ ଥାନା ଅଧୀନରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ସୁବାସ ରୋହିଦାସକୁ ଦୋଷୀ ସାବ୍ୟସ୍ତ କରି ଝାରସୁଗୁଡ଼ା ଅତିରିକ୍ତ ଦୌରାଜଜ୍ ସତ୍ୟବ୍ରତ ମିଶ୍ର ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି।
ଜରିମାନା ଅନାଦେୟେ ଅଧିକ ୬ ମାସ କାରାଦଣ୍ଡାଦେଶ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମକଦ୍ଦମା ପରିଚାଳନା କରୁଥିବା ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଗଙ୍ଗାଧର ଗଡ଼ନାୟକଙ୍କ ଠାରୁ ପ୍ରକାଶ ଯେ, ଗତ ୨.୧୦.୨୦୧୫ ମସିହା ସକାଳ ସାଢ଼େ ୮ ଟାରେ ଜଣେ ମହିଳା ତାଙ୍କ ବାଥରୁମ୍ରେ ଗାଧୋଇ ଶାଢ଼ି ବଦଳାଉଥିବା ସମୟରେ ବୃନ୍ଦାମାଲ ଗ୍ରାମର ସୁବାସ ରୋହିଦାସ (୨୬) ସେଠାରେ ପହଞ୍ଚି ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା ଓ ଏହି ଘଟଣା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ମହିଳା ଜଣକ ଚିତ୍କାର କରିବା ପରେ ସେଠାରେ କିଛି ଗ୍ରାମବାସୀ ରୁଣ୍ଡ ହୋଇ ଯୁବକକୁ କାବୁ କରିଥିଲେ। ଏନେଇ ପିଡ଼ିତା ବଡ଼ମାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ଅତିରିକ୍ତ ଦୌରାଜଜ ଶ୍ରୀ ମିଶ୍ର ୧୯ ଜଣ ସାକ୍ଷ୍ୟଙ୍କ ବୟାନ ଓ ତଥ୍ୟକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଥିଲେ।