ବିବାହ ପ୍ରତିଶ୍ରୁତି ଦେଇ ଯୁବତୀକୁ ଦୁଷ୍କର୍ମ : ବୟାନ୍ ବଦଳାଇବା ପାଇଁ ପୁଲିସର ଚାପ, ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା ଓ ପରିବାର ଲୋକ

ରାୟଗଡ଼ା: ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ବୟାନ୍ ବଦଳାଇ ଅଭିଯୁକ୍ତକୁ ଖସାଇ ଦେବାକୁ ଉଦ୍ୟମ କରୁଛି ମୁନିଗୁଡା ପୁଲିସ୍। ଏପରିକି ପୀଡ଼ିତା ଓ ପରିବାର ଲୋକଙ୍କୁ ପୁଲିସ୍ ବାରମ୍ବାର ଥାନାକୁ ଡକାଇ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବସାଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛି। ଅଭିଯୋଗର ଦୁଇ ଦିନ ପରେ ବି ପୁଲିସ୍ ମାମଲା ରୁଜୁ ନ କରିବା ପରେ ଆଜି ରାୟଗଡ଼ା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ଓ ପରିବାର ଲୋକ। ଏସପିଙ୍କୁ ଅଭିଯୋଗପତ୍ର ପ୍ରଦାନ କରି ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବା ସହିତ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଥିବା ଥାନା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତା ଦାବି କରିଛନ୍ତି।

ଅଭିଯୋଗନୁଯାୟୀ, ମୁନିଗୁଡ଼ା ବ୍ଲକ୍ କୁଟ୍ରାଗଡ଼ ଗ୍ରାମର ୨୦ ବର୍ଷୀୟ ଯୁବତୀ କାଜଲ (ଛଦ୍ମନାମ) ନିଜ ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇରେ ବେବି କେୟାର ଟେକର ଭାବରେ କାମ କରୁଥିଲେ। ଗତ ୩ ମାସ ହେଲା କାଜଲ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଘରେ ରହି ଆସୁଥିବା ବେଳେ ସେପ୍ଟେମ୍ବର ୪ ତାରିଖରେ କୁଟ୍ରାଗଡ ଗ୍ରାମର ଖଗେଶ ବାଗ କାଜଲଙ୍କ ଠିକଣା ଖୋଜି ମୁମ୍ବାଇରେ ପହଞ୍ଚିଥିଲେ। କାଜଲ ରହୁଥିବା ଘର ମାଲିକଙ୍କୁ ଖଗେଶ କାଜଲର ଭାଇ ବୋଲି ପରିଚୟ ଦେବା ପରେ ଖଗେଶ ଓ କାଜଲ ଉଭୟେ ଏକ ରୁମରେ ରହିଥିଲେ। ୧୦ ଦିନ ଧରି ଉଭୟେ ଏକାଠି ରହିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଖଗେଶ କାଜଲ ସହ ଶାରୀରିକ ସଂପର୍କ ରଖିଥିଲେ। ଅନିଚ୍ଛା ସତ୍ତ୍ବେ ଖଗେଶ ଜୋର ଜବରଦସ୍ତି ୮ରୁ ୧୦ ଥର କାଜଲ ସହ ଶାରୀରିକ ସଂପର୍କ ରଖିଥିଲେ। ତେବେ ଖଗେଶ ଏବଂ କାଜଲଙ୍କ କାର୍ଯ୍ୟକଳାପ ସନ୍ଦେହକୁ ଆସିବା ପରେ ଘର ମାଲିକ କାଜଲଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲେ। କାଜଲଙ୍କ ବାପା ଅଭି କୁଶୁଲିଆ ଖଗେଶକୁ କାଜଲର ଭାଇ ବୋଲି ଅସ୍ୱୀକାର କରିବା ସହ ଘଟଣା ସଂପର୍କରେ ଗତ ୧୭ ତାରିଖରେ ମୁନିଗୁଡା ଥାନାରେ ଅଭିଯୋଗ କରିଥିଲେ। ମୁନିଗୁଡା ପୁଲିସ୍ ଖଗେଶକୁ ଯୋଗାଯୋଗ କରି ସୁରକ୍ଷିତ ଭାବେ କାଜଲକୁ ନେଇ ମୁନିଗୁଡାରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ।

ପୁଲିସ ହସ୍ତକ୍ଷେପ ପରେ ଖଗେଶ କାଜଲକୁ ନେଇ ଗତ ୧୮ ତାରିଖରେ ମୁମ୍ବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଉକ୍ତ ଦିନ ମଧ୍ୟ ଭୁବନେଶ୍ୱରର ଏକ ଲଜ୍‌ରେ ଖଗେଶ କାଜଲ ସହ ଶାରୀରିକ ସଂପର୍କ ରକ୍ଷା କରିବା ସହ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ୧୮ ତାରିଖ ସଂଧ୍ୟାରେ ଉଭୟେ ଟ୍ରେନ ଯୋଗେ ଆସି ୧୯ ତାରିଖ ସକାଳେ ମୁନିଗୁଡାରେ ପହଞ୍ଚିବା ପରେ କୁଟ୍ରାଗଡରେ କାଜଲକୁ ଛାଡ଼ି ଖଗେଶ ଚାଲି ଯାଇଥିଲା। କାଜଲ ପରିବାର ଲୋକଙ୍କ ସହ ମୁନିଗୁଡା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗନୁଯାୟୀ ପୁଲିସ୍ ମାମଲା ରୁଜୁ କରିବା ପରିବର୍ତ୍ତେ ମୁନିଗୁଡା ଥାନା ଏସଆଇ ଚନ୍ଦ୍ରମା ଶବର ଏତଲାରେ ଉଲ୍ଲେଖ ଥିବା ୮/୧୦ ଥର ଦୁଷ୍କର୍ମ ଉଦ୍ୟମ ବୟାନକୁ ବଦଳାଇବା ପାଇଁ ଚାପ ପକାଇଥିଲେ। ପୀଡ଼ିତା କାଜଲ ଓ ପରିବାର ଲୋକ ପୁଲିସ କଥାରେ ରାଜି ନ ହେବାରୁ ଦୁଇ ଦିନ ହେଲା ପୁଲିସ୍ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ବସାଇବା ସହ ତଦନ୍ତକାରୀ ଅଧିକାରୀ ଓ ହୋମଗାର୍ଡ ଧମକ ଚମକ ଦେଉଥିବା କାଜଲ ଅଭିଯୋଗ କରିଛନ୍ତି। ଆଜି କାଜଲ ନିଜ ପରିବାର ଲୋକଙ୍କ ସହ ଏସପିଙ୍କ ଅଫିସରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି। ଏଥି ସହିତ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଖଗେଶ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର