ହସ୍ପିଟାଲ ସଂକ୍ରମଣ ରୋକିବା ପାଇଁ ନୂଆ ଯୋଜନା
କର୍କଟ କେନ୍ଦ୍ରରେ ରିପୋର୍ଟ ନଆସିବା ଯାଏ ଆଡମିସନ୍ ମନା
କଟକ : କଟକରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେଲାଣି। ଆଚାର୍ଯ୍ୟ ହରିହର, ଏସ୍ସିବି ପାଲଟିଛି ସଂକ୍ରମଣର ହଟ୍ସ୍ପଟ୍। ଏଭଳି ସ୍ଥିତିରେ କେମିତି ସଂକ୍ରମଣକୁ ରୋକାଯାଇପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର କଟକ ବଡ଼ ଡାକ୍ତରଖାନା ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ବଡ ଡାକ୍ତରଖାନା, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନ ଓ ସିଟି ହସ୍ପିଟାଲ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ମଙ୍ଗଳବାରଠାରୁ କଟକରେ ଆରମ୍ଭ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ। ଏହି ପରୀକ୍ଷଣ ଦ୍ବାରା ଅଧଘଣ୍ଟାରେ ରୋଗୀର .କୋଭିଡ୍ ଷ୍ଟାଟସ୍ ଜଣାପଡ଼ିବ। ସଟ୍ଡାଉନ୍ ସମୟରେ ଅତି ଜରୁରୀ ନଥିଲେ ରୋଗୀଙ୍କୁ ଡାକ୍ତରଖାନା ଆସିବା ପାଇଁ ବାରଣ କରାଯାଇଛି। କେବଳ ସେତିକି ନୁହେଁ, ହଟ୍ସ୍ପଟ୍ ଜିଲ୍ଲା; ବିଶେଷ କରି ଗଞ୍ଜାମ୍ ଜିଲ୍ଲାରୁ ରୋଗୀଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି। ଏଣିକି ବିନା କୋଭିଡ୍ ପରୀକ୍ଷାରେ ଅସ୍ତ୍ରୋପଚାର କରାଯିବନି। ଅତି ଜରୁରୀ ଥିଲେ ସେ କ୍ଷେତ୍ରରେ ରୋଗୀଙ୍କର କାଜୁଆଲିଟିରେ କୋଭିଡ୍ ସ୍କ୍ରିନିଂ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା, ଅସ୍ତ୍ରୋପଚାର ତଥା ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ। କାଜୁଆଲିଟି, ଓପିଡି, ୱାର୍ଡକୁ ଜୋନ କରାଯିବ। ପ୍ରତି ୱାର୍ଡରେ ଆଇସୋଲସନ୍ ୱାର୍ଡ ରହିବା ଜରୁରୀ କରାଯିବ। ସନ୍ଦିଗ୍ଧ ରୋଗୀ, ହଟ୍ସ୍ପଟ୍ ଜିଲ୍ଲା, କଣ୍ଟେନମେଣ୍ଟ୍ ଜୋନରୁ ଆସୁଥିବା ରୋଗୀଙ୍କୁ ପ୍ରଥମେ ଆଇସୋଲେସନ୍ ୱାର୍ଡରେ ରଖାଯିବ। ସେମାନଙ୍କ କୋଭିଡ୍ ରିପୋର୍ଟ ଆସିବା ପରେ ୱାର୍ଡକୁ ସ୍ଥାନାନ୍ତରିତ କରାଯିବ।
ଏଥିସହ ଏସ୍ସିବି, ଆଚାର୍ଯ୍ୟ ହରିହର, ଶିଶୁଭବନ, ସିଟି ହସ୍ପିଟାଲର ପାରା ମେଡିକାଲ, ନର୍ସେସ୍, ସିକ୍ୟୁରିଟି, ସଫେଇ କର୍ମଚାରୀଙ୍କୁ ପୁଣି ଥରେ କୋଭିଡ୍ ତାଲିମ୍ ଦିଆଯିବ। ବିଭିନ୍ନ ହଟ୍ସ୍ପଟ୍ ଜିଲ୍ଲାରୁ ବା କଣ୍ଟେନମେଣ୍ଟ ଅଂଚଳରୁ କଟକକୁ ଚିକିତ୍ସା ପାଇଁ ରୋଗୀମାନେ ନ ଆସିବାକୁ ଅନୁରୋଧ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ। ସ୍ଥାନୀୟ ମେଡିକାଲରେ ଚିକିତ୍ସା ସୁବିଧା ରହିଥିବାରୁ ରୋଗୀଙ୍କ ସେଠାରେ ଚିକିତ୍ସା ସେବା ଉପରେ ଗୁରୁତ୍ବ ଦିଆଯାଇଛି। ଫିଭର କ୍ଲିନିକ୍ ଉପରେ ସଚିବ ଗୁରୁତ୍ବାରୋପ କରିବା ସହ ଥଣ୍ଡା, କାଶ, ଜ୍ବର ବା ଲକ୍ଷଣ ଥିବା ବ୍ୟକ୍ତି ଫିଭର୍ କ୍ଲିନିକ୍ ଯାଇ ପରୀକ୍ଷା କରାନ୍ତୁ। ତା ସହିତ କଟକର ପ୍ରମୁଖ ୪ଟି ହସ୍ପିଟାଲକୁ ରାଜ୍ୟର ହଜାର ହଜାର ରୋଗୀ ପ୍ରତିଦିନ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ମଧ୍ୟ ସହଯୋଗ ପାଇଁ ଅନୁରୋଧ କରାଯାଇଛି। ଓପିଡି, ୱାର୍ଡ, କାଜୁଆଲିଟିରେ ଯେପରି ସାମଜିକ ଦୂରତା ରହିବ, ସେଥିପାଇଁ ଭିଡ ନିୟନ୍ତ୍ରଣ କରିବାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ସେମାନେ ସହାୟତା କରିବେ। ଅନ୍ୟପଟେ ହସ୍ପିଟାଲରୁ ଅଧିକସଂଖ୍ୟକ ରୋଗୀ ଓ ସମ୍ପର୍କୀୟ ସଂକ୍ରମିତ ହେଉଥିବା ଓ ରିପୋର୍ଟ ପଜିଟିଭ୍ ଆସିବା ପରେ କରୋନା ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଆମ୍ବୁଲାନ୍ସ ଅଭାବ ରହିଥିବାରୁ କଟକକୁ ୪ଟି ଆମ୍ବୁଲାନ୍ସ ଦିଆଯିବ। କର୍କଟ କେନ୍ଦ୍ରର ଯେଉଁମାନେ କ୍ବାରାଣ୍ଟିନ୍ରେ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ଜଣେ ଆସୋସିଏଟ୍ ପ୍ରଫେସର ନିଯୁକ୍ତ କରିବା ପାଇଁ ଡାଇରେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ସ୍ଥାନାନ୍ତରଣ ସମୟରେ ଯେୁଁଉଁଳି ସଙ୍ଗିନ ପରିସ୍ଥିତି ଉପୁଜିଥିଲା ତାକୁ ନେଇ ତର୍ଜମା କରାଯିବା ସହ କୋଭିଡ୍ ରୋଗୀଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ସ୍ଥାନାନ୍ତରଣ ସମୟରେ ନୋଡାଲ ଅଫିସର ଉପସ୍ଥିତ ରହି ସବୁ କାର୍ଯ୍ୟର ଦାୟିତ୍ବ ନେବେ। ଆଚାର୍ଯ୍ୟ ହରିହରରେ ଅନ୍ୟଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଚାର୍ଯ୍ୟ ହରିହରରେ ରହିଥିବା ୪୦/୫୦ ରୋଗୀଙ୍କ କୋଭିଡ୍ ପରୀକ୍ଷା ରିପୋର୍ଟ ନଆସିବା ପର୍ଯ୍ୟନ୍ତ ରୋଗୀଙ୍କ ନୂଆ ଆଡମିସନ୍ କରାଯିବନି। ଏଥିସହ ଆଚାର୍ଯ୍ୟ ହରିହର, ଏସ୍ସିବିକୁ ସଂପୂର୍ଣ୍ଣ ବିଶୋଧନ କରାଯିବ। ଅନ୍ୟପଟେ ଏସ୍ସିବିକୁ ୩ଟି ଟ୍ରୁ-ନଟ୍ ମେସିନ୍ ଆସିଥିବାରୁ ଏହାଦ୍ବାରା ଅଧିକସଂଖ୍ୟକ କୋଭିଡ୍ ଟେଷ୍ଟିଂ ହୋଇପାରିବ। ବର୍ତ୍ତମାନ ଏସ୍ସିବିରେ ୧୬ଶହ ପରୀକ୍ଷା ହେଉଥିବାବେଳେ ପ୍ରିତିଦିନ୍ ଯେପରି ୨୦୦୦ହଜାର ପରୀକ୍ଷା କରାଯିବ ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ଏସ୍ସିବି ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ସୂଚନା ଦେଇଛନ୍ତି।
କଟକରେ ସ୍ଥିତି ଉଦ୍ବେଗଜନକ ହେବା ପରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଆରଡିସି ଅନିଲ କୁମାର ସାମଲ, ଏମ୍ଡି, ଓଏସ୍ଏମ୍ସିଏଲ୍ ଯାମିନୀ ଷଡଙ୍ଗୀ, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ଡିଏମ୍ଇଟି ତଥା ସ୍ବାସ୍ଥ୍ୟବିଭାଗ ସ୍ବତନ୍ତ୍ର ସଚିବ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଅତିରିକ୍ତ ଡିଏମ୍ଇଟି ଡାକ୍ତର ବ୍ରଜ ଦାସ, ଏସ୍ସିବି ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସ, ଡିସିପି ଅଖିଳେଶ୍ବର ସିଂହ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ନୋଡାଲ ଅଫିସର କୋଭିଡ୍ ଟେଷ୍ଟ ପ୍ରଫେସର ଡାକ୍ତର ନିରୂପମା ଚୟନୀ, ଏସ୍ସିବି ନୋଡାଲ ଅଫିସର ପ୍ରଫେସର ଡାକ୍ତର ଏମ୍.ଆର ପଟ୍ଟନାୟକ, ନୋଡାଲ ଅଫିସର (ଟ୍ରେନିଂ) ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ସିଡିଏମ୍ଓ ଡାକ୍ତର ସତ୍ୟବ୍ରତ ଛୋଟରାୟ , ଏସ୍ସିବି ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା, ଆସୋସିଏଟ୍ ପ୍ରଫେସର ଡାକ୍ତର ରୋମା ରତନ, ମାନସିକ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁଙ୍କ ସମେତ ସମସ୍ତ ହସ୍ପିଟାଲର ନୋଡାଲ ଅଫିସର ସମୀକ୍ଷା ବୈଠକରେ ଯୋଗଦେବା ସହ ସଂକ୍ରମଣକୁ ରୋକାଯିବ ସଂପର୍କରେ ମତ ଦେଇଥିଲେ। ଏସ୍ସିବି, ଆଚାର୍ଯ୍ୟ ହରିହର, ଶିଶୁଭବନ, ସିଟି ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ମାସ୍କ, ପିପିଇ କିଟ୍ ସାମଗ୍ରୀ ମହଜୁଦ୍ ରହିଥିବା ସମୀକ୍ଷାରୁ ଜଣାପଡିଛି।
ରାପିଡ୍ ଆଣ୍ଟିଜେନ୍ କିଟ୍ କଣ?
ଏସ୍ସିବିକୁ ଖୁବ୍ଶୀଘ୍ର ଆସିବ ରାପିଡ୍ ଆଣ୍ଟିଜେନ୍ କିଟ୍। ଏହି କିଟ୍ ମାଧ୍ୟମରେ ନାଜାଲ ସ୍ବାବ୍କୁ ପରୀକ୍ଷା କରାଯିବ, ଯାହାର ରିପୋର୍ଟ ଅଧଘଣ୍ଟା ଭିତରେ ବା ତା’ଠାରୁ କମ୍ ସମୟ ମଧ୍ୟରେ ଆସିବ। ରୋଗୀ କରୋନା ସଂକ୍ରମିତ ହୋଇଥିବା ସଂପର୍କରେ ପ୍ରାଥମିକ ରିପୋର୍ଟ ମିଳିପାରିବ। ଏଥିରେ ୯୮ ପ୍ରତିଶିତ ଶୁଦ୍ଧତା ରହିଛି। ଏହାଦ୍ବାରା କୋଭିଡ୍ ରୋଗୀ ଚିହ୍ନଟ କ୍ଷେତ୍ରରେ ଏକ ବଡ ସଫଳତା ମିଳିପାରିବ ବୋଲି ଏସ୍ସିବିର ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା କୋଭିଡ୍ ତାଲିମ୍ର ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।