ରାପିଡ୍ କିଟ୍ରେ ପରୀକ୍ଷା ବଢ଼ିଛି, ଗତ ୨୪ଘଣ୍ଟାରେ ୧୪୯୧୫ କୋଭିଡ୍ ପରୀକ୍ଷା
ଭୁବନେଶ୍ବର : ରାଜ୍ୟରେ ରାପିଡ୍ ଆଣ୍ଟିଜେନ୍ କିଟ୍ ଆସିବା ପରେ ଆରଟି-ପିସିଆର ଅପେକ୍ଷା ଏହାର ପରୀକ୍ଷା ବଢ଼ିଥିବା ଜଣାପଡ଼ିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୪୯୧୫ କୋଭିଡ୍ ନମୁନା ପରୀକ୍ଷା କରାଯାଇଛି। ଯାହାକି ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆରଟି-ପିସିଆର ପରୀକ୍ଷାରେ ଲଜିଷ୍ଟିକ୍ ସମସ୍ୟା ରହିଛି। ପରୀକ୍ଷା କେନ୍ଦ୍ର ନ ଥିବା ଜିଲ୍ଲାଗୁଡ଼ିକରେ ଏଥିପାଇଁ ଗାଡ଼ି ସହାୟତାରେ ନମୁନା ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ ପଡ଼ୁଛି। ଅଧିକାଂଶ ନମୁନା ଆରଏମ୍ଆରସି, ଆଇଏଲଏସ୍ ଓ ଏସ୍ସିବିକୁ ଆସୁଛି। ଯାହାଫଳରେ ନମୁନା ପରୀକ୍ଷା ରିପୋର୍ଟ ପାଇବା ବହୁତ ବିଳମ୍ବ ହେଉଛି। ଏପିରିକି ଜଣେ ଜଣେ ରୋଗୀଙ୍କୁ ରିପୋର୍ଟ ପାଇବା ପାଇଁ ୨/୩ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଏସବୁ ପାଇଁ ଜିଲ୍ଲାସ୍ତରରେ ଆରଟି-ପିସିଆର ପରୀକ୍ଷା ପାଇଁ ସେତେଟା ଆଗ୍ରହ ଦେଖାଉ ନ ଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯଦିଓ ଆରଟି-ପିସିଆରର ସ୍ବାବ୍ ସଂଗ୍ରହ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବାରଣ କରାଯାଇ ନାହିଁ, ତଥାପି ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷାକୁ ଜିଲ୍ଲାସ୍ତରରେ ଅଧିକ ପସନ୍ଦ କରାଯାଉଛି। ଏପିରିକି ରାଜ୍ୟରେ ଏବେ ଦୈନିକ ଅଧାରୁ ଅଧିକ କୋଭିଡ ପରୀକ୍ଷା ରାପିଡ୍ କିଟ୍ରେ ହିଁ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତବାକ, ପ୍ରତ୍ୟେକ ଜିଲ୍ଲାରୁ କେତେ ସଂଖ୍ୟକ ସ୍ବାବ୍ ନମୁନା ସଂଗ୍ରହ କରାଯିବ ତାହାର ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଧାର୍ଯ୍ୟ ହୋଇଛି। ଏହାଠାରୁ କମ୍ ନମୁନା ସଂଗ୍ରହ ହୋଇପାରିବ ନାହିଁ। ଏହାସହ ପରୀକ୍ଷା କେନ୍ଦ୍ରରେ ମଧ୍ୟ କେତେକ ସମସ୍ୟା ରହୁଛି। ତେବେ ରାପିଡ୍ କିଟ୍ ଆସିବା ପରେ ଏହାର ଅଧିକ ବ୍ୟବହାର ବଢ଼ିଛି। ରାଜ୍ୟରେ ୩ଲକ୍ଷ ରାପିଡ୍ ଆଣ୍ଟିଜେନ୍ କିଟ୍ ଥିବା ବେଳେ ଜିଲ୍ଲାସ୍ତରରେ ଏହାକୁ ପରୀକ୍ଷା କରାଯାଉଛି। ଅଳ୍ପ ସମୟ ଭିତରେ ରିପୋର୍ଟ ଆସିପାରୁଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଅଗଷ୍ଟ ମାସରେ ରାଜ୍ୟ ସରକାର ଦୈନିକ ୨୦ ହଜାର ପରୀକ୍ଷା କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ଏଥିରେ ମଧ୍ୟ ରାପିଡ୍ କିଟ୍ ଯଥେଷ୍ଟକୁ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ମିଳିଛି।