ସୁନ୍ଦରଗଡ଼: ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ୨୦୧୬ ମସିହା ଅକ୍ଟୋବର ମାସର ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ୪ ବର୍ଷୀୟ ଶିଶୁକନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଜା ଶୁଣାଇଛନ୍ତି ପୋକ୍ସୋ କୋର୍ଟ ଜଜ ମହେନ୍ଦ୍ର କୁମାର ସୂତ୍ରଧାର। ଅଭିଯୁକ୍ତ ସଞ୍ଜୀବ କେରକେଟ୍ଟାକୁ ଫାଶୀ ଦଣ୍ଡାଦେଶ ହୋଇଛି।
ମାମଲାର ବିବରଣୀରୁ ଜଣାଯାଏ ଯେ, ଶିଶୁ କନ୍ୟାଟି ମା’ ସହିତ ଶୋଇଥିବା ବେଳେ ଅଭିଯୁକ୍ତ କରିଥିଲା ଅପହରଣ। ଏକ ନିର୍ମାଣାଧିନ କୋଠାରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ଅପହରଣର ତିନି ଦିନ ପରେ ଅର୍ଦ୍ଧ ଗଳିତ ମୃତଦେହ ଉଦ୍ଧାର କରିଥିଲା ଟାଉନ ଥାନା ପୁଲିସ। ପୀଡ଼ିତା ପରିବାରକୁ ଦଶ ଲକ୍ଷ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ହୋଇଛି।