ରାଉରକେଲା: ରାଉରକେଲା ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟରେ ଆଜି ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଅଭିଯୁକ୍ତକୁ ୧୦ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୧୫ ଜଣ ସାକ୍ଷୀଙ୍କ ବୟାନ ଓ ୧୩ଟି ଦସ୍ତାବିଜ୍କୁ ବିଚାରକୁ ନେଇ ବିଚାରପତି ଏହି ରାୟ ଶୁଣାଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ହାତୀବାରି ଅଞ୍ଚଳର ବିଜୟ ଓରାମ। ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ ଚନ୍ଦ୍ର ଦାଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।
ଏମିତି ଘଟଣା ଘଟିଥିଲା ଗତ ୨୦୨୦ ଫେବ୍ରୁଆରି ତୃତୀୟ ସପ୍ତାହରେ। ହାତୀବାରି ନିକଟ ଗୋପପୁରରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ଜଣେ ମାନସିକ ଅନଗ୍ରସର ଯୁବତୀ ତାଙ୍କ ମା’ଙ୍କ ସହ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ଅଭିଯୁକ୍ତ ବିଜୟ ଯୁବତୀଙ୍କୁ ଲୋଭ ଦେଖାଇ ଗାଁଠୁ କିଛି ଦୂର ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ। ସେଠାରେ ତା’ର ଅନିଚ୍ଛା ସତ୍ବେ ଦୁଷ୍କର୍ମ କରିଥିଲା। ଏ କଥା କାହାକୁ ନ କହିବାକୁ ଯୁବତୀଙ୍କୁ ଧମକଚମକ ମଧ୍ୟ ଦେଇଥିଲା। ଯୁବତୀ ଜଣକ ଘରେ ପହଞ୍ଚି ପରିବାର ଲୋକଙ୍କ ଆଗରେ ସମସ୍ତ କଥା କହିଥିଲେ। ପରିବାର ଲୋକ ହାତୀବାରି ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ। ପୁଲିସ ଗତ ୨୦୨୦ ଫେବ୍ରୁଆରି ୨୧ରେ ମାମଲା ରୁଜୁ କରିଥିଲା। ପୀଡ଼ିତାଙ୍କୁ ଡାକ୍ତରୀମାଇନା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଅଭିଯୁକ୍ତ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/court-generic.jpg)