ମେଳା ଦେଖାଇବାକୁ ଯୁବତୀଙ୍କୁ ଡାକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା ଯୁବକ, ୨୦ ବର୍ଷ ଜେଲ୍‌ଦଣ୍ଡ

ସହଯୋଗୀକୁ ମଧ୍ୟ ୨୦ ବର୍ଷ କାରାବାସ, ଉଭୟଙ୍କୁ ୨୦-୨୦ ହଜାର ଟଙ୍କା ଜରିମାନା

ବାରିପଦା: ଦେବଶୋଳ ମେଳା ଦେଖାଇ ନେବା ବାହାନାରେ ଜଣେ ଯୁବତୀଙ୍କୁ ଡାକି ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିବା ଯୁବକକୁ ଆଜି ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଚେଧୁରୀ ପ୍ରବୀର କୁମାର ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ରାୟ ଶୁଣାଇଛନ୍ତି। ଦୁଷ୍କର୍ମକାରୀକୁ ସାହାଯ୍ୟ କରିଥିବା ଅନ୍ୟ ଜଣେ ଅଭିଯୁକ୍ତ ଯୁବକକୁ ମଧ୍ୟ ୨୦ ବର୍ଷର ଦଣ୍ଡ ଶୁଣାଇଛନ୍ତି ଏଡିଜେ-୧। ୨୦ ବର୍ଷ କାରାବାସରେ ଦଣ୍ଡିତ ହୋଇଥିବା ଦୁଷ୍କର୍ମକାରୀ ଯୁବକ ହେଉଛି ବାରିପଦା ସଦର ଥାନା ଅନ୍ତର୍ଗତ ମେଘମାରି ଅଞ୍ଚଳର କୁସୁ ମୁର୍ମୁ(୨୮)। ଏହି କାଣ୍ଡରେ ତାକୁ ସାହାଯ୍ୟ କରିଥିବା ଯୁବକ ହେଉଛି ସମାନ ଥାନାର ଚନ୍ଦନପୁର ଅଞ୍ଚଳର ମଣ୍ଡଳ ମାରାଣ୍ଡି(୨୮)।

ସୂଚନା ଅନୁସାରେ ୨୦୧୬ ମାର୍ଚ୍ଚ ୧୧ ତାରିଖ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଉକ୍ତ ସନ୍ଧ୍ୟାରେ ବାରିପଦା ସଦର ଥାନା ଅଞ୍ଚଳର ଅଭିଯୁକ୍ତ କୁସୁ ୨୦ ବର୍ଷୀୟା ଯୁବତୀଙ୍କୁ ଜାଗର ମେଳା ଦେଖାଇବାକୁ ଡାକିଥିଲା। ପୀଡ଼ିତା ଅଭିଯୁକ୍ତ ନିକଟକୁ ଆସିବା ପରେ ଯୁବକ ଜଣଙ୍କ ସନ୍ଧ୍ୟାରେ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ତେବେ ଏହି ଘଟଣାରେ ପୀଡ଼ିତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହା ଦେଖି ଅଭିଯୁକ୍ତ କୁସୁ ତା’ର ବନ୍ଧୁ ମଣ୍ଡଳକୁ ଘଟଣାସ୍ଥଳକୁ ଡାକିଥିଲା। ଦୁଇ ଅଭିଯୁକ୍ତ ମିଳିତ ଭାବେ ପିଡ଼ୀତାଙ୍କୁ ଅତ୍ୟନ୍ତ ମୁମୂର୍ଷ ଭାବେ ତାଙ୍କ ଘର ପାଖ ଜଙ୍ଗଲରେ ଛାଡ଼ି ଦେଇ ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ।

ଏନେଇ ଜଗଦୀଶ ବାସ୍କେଙ୍କ ଅଭିଯୋଗ କ୍ରମେ ରାସଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଦଫା ୩୭୬(ଡିି) ଆଧାରରେ ଜଜ୍‌ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥି ସହିତ ଉଭୟଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଜରିମାନାର ରାୟ ମଧ୍ୟ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୪ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର