ରାଉରକେଲା: ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟର ବିଚାରପତି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦୟ ଅଧିକ ଏକ ବର୍ଷ ଜେଲ୍‌ ଶୁଣାଇଛନ୍ତି। ୨୧ ଜଣ ସାକ୍ଷୀଙ୍କ ବୟାନ ଓ ୧୬ଟି ଦସ୍ତାବିଜକୁ ବିଚାରକୁ ନେଇ ବିଚାରପତି ଏହି ରାୟ ଶୁଣାଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବାସନ୍ତୀକଲୋନି ମାଲଗୋଦାମ ଅଞ୍ଚଳର ସଦାନନ୍ଦ ମହାନ୍ତ ଓରଫ ମାହାତୋ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ ଚନ୍ଦ୍ର ଦାଶ ମାମଲା ପରିଚାଳନା କରୁଥିଲେ।

Advertisment

ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମରେ ରହୁଥିଲା ସଦାନନ୍ଦ। ସେହି ଅଞ୍ଚଳର ଜଣେ ନାବାଳିକା ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ସଦାନନ୍ଦ ତାଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଝାଡ଼ଖଣ୍ଡ ମନୋହରପୁର ନେଇଯାଇଥିଲେ। ସେଠାରେ ତା’ର ଅନିଚ୍ଛା ସତ୍ବେ ଦୁଷ୍କର୍ମ କରିଥିଲେ। ନାବାଳିକା କୌଣସି ମତେ ସଦାନନ୍ଦ କବଳକୁ ଖସି ଆସିଥିଲେ। ଘରେ ପହଞ୍ଚି ପରିବାର ଲୋକଙ୍କ ଆଗରେ ସମସ୍ତ କଥା କହିଥିଲେ। ପରିବାର ଲୋକ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ଲିଖିତ ଏତଲା ଆଧାରରେ ଉଦିତନଗର ପୁଲିସ ନାବାଳିକାଙ୍କୁ ଡାକ୍ତରୀମାଇନା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ସଦାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।