ଅନୁଗୁଳ: ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ। ଆଉ ପ୍ରେମିକା ଗର୍ଭବତୀ ହେବା ଜାଣି ତା’କୁ ପ୍ରତାରଣା କରି ପାର୍। ଏମିତି ସାଂଘାତିକ ମାମଲାରେ ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଏହି ମାମଲାରେ ଦୋଷୀ କଲିନ ମୁଣ୍ଡା(୨୬)କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୬ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ତାକୁ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳରେ ୨୦୧୯ରେ ଜଣେ ନାବାଳିକା(୧୬ବର୍ଷ)ଙ୍କୁ ବଳାତ୍କାର ହୋଇଥିଲା। ସୂଚନା ଅନୁସାରେ, କଲିନ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପରେ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା। ନାବାଳିକା ବୋଲି ଜାଣି ମଧ୍ୟ ଅଭିଯୁକ୍ତ ତା’ ସହ ବାରମ୍ବାର ଶାରିରୀକ ସଂପର୍କ ରଖିଥିଲା। ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହାପରେ ସେ ବିବାହ କରିବା ପାଇଁ କଲିନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କଲିନ ଆଉ ଧରାଛୁଆଁ ଦେଇନଥିଲା। ନାବାଳିକା ୮ମାସର ଗର୍ଭବତୀ ହେବା ଜାଣିବା ପରେ ତାଙ୍କ ପରିବାର ଲୋକେ ବିବାହ ପାଇଁ କଲିନକୁ କହିଥିଲେ। ଏହା ପରେ କଲିନ୍ କେଉଁଆଡ଼େ ଫେରାର୍ ହୋଇଯାଇଥିଲା। ପରେ ସେପ୍ଟେମ୍ବର ୨୪ ତାରିଖରେ ନାବାଳିକାଙ୍କ ବାପା ଆଠମଲ୍ଲିକ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କଲିନକୁ ଗିରଫ କରିଥିଲା। ଏହି ମାମଲାର ବିଚାରଣା ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ଚାଲିଥିଲା। ମୋଟ ୧୬ ଜଣଙ୍କ ସାକ୍ଷ୍ୟଗ୍ରହଣ ଓ ଅନ୍ୟାନ୍ୟ ଦଲିଲକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରୁଦ୍ର ପ୍ରସାଦ ମହାପାତ୍ର ଅଭିଯୁକ୍ତ କଲିନ୍ ମୁଣ୍ଡା(୨୬)କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁକ୍ରବାର ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ ପବ୍ଲିକ ପ୍ରୋସିକ୍ୟୁଟର ସରୋଜ କୁମାର ପଟ୍ଟନାୟକ ମାମଲାର ପରିଚାଳନା କରୁଥିଲେ।