ରାଉରକେଲା: ନାଲାରୋଡର ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟର ବିଚାରପତି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ,୧୯ଟି ଦସ୍ତାବିଜ୍‌ ଓ ସ୍ବତନ୍ତ୍ର ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣ ଆଧାରରେ ବିଚାରପତି ଏହି ରାୟ ଶୁଣାଇଛନ୍ତି। ଦୁଷ୍କର୍ମକାରୀ ହେଲେ ରାଉରକେଲା ନାଲାରୋଡର ମହମ୍ମଦ ହୁସେନ୍‌ ଓରଫ୍‌ ମୁଶାରଫ ହୁସେନ୍‌। ଏମିତି ସମ୍ବେଦଶୀଳନ ଘଟଣା ଘଟିଥିଲା ଗତ ୨୦୧୩ ସେପ୍ଟେମ୍ବରରେ। ଦୁଷ୍କର୍ମକାରୀ ନାବାଳିକାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ନାବାଳିକା ଓ ତାଙ୍କ ପରିବାର ଏ ସଂକ୍ରାନ୍ତରେ ମହିଳା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ନାବାଳିକାଙ୍କ ଲିଖିତ ଅଭିଯୋଗ ଆଧାରରେ ମହିଳା ଥାନା ପୁଲିସ ଅଭିଯୁକ୍ତ ମୁଶାରଫ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋକ୍‌ସ‌ୋ କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ ଚନ୍ଦ୍ର ଦାଶ ମାମଲା ପରିଚାଳନା କରୁଥିଲେ।