ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଇଲାକାର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଜଜ୍ ଗଣେଶ୍ବର ପତି ଆବଶ୍ୟକ ପ୍ରମାଣ ଥିବାରୁ ଦୋଷୀକୁ ୨୦ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ଜଣକ ପାଟପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିଗୁଡ଼ାର ସିମିୟା ମଣ୍ଡଳ(୩୬)। ଏହା ସହିତ ୫୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ କୋର୍ଟ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୭ମାସ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୦୧୮ ଡିସେମ୍ବର ୬ତାରିଖରେ ସିମିୟା ଜନୈକା ନାବାଳିକାଙ୍କୁ ଭୟଭୀତ କରି ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଗର୍ଭବତୀ ହେବା ପରେ ଘଟଣା ଜଣା ପଡ଼ିଥିଲା। ଏ ନେଇ ପୀଡ଼ିତାଙ୍କ ପରିବାରବର୍ଗ ପାଟପୁର ଥାନାରେ ଅଭିଯୋଗ କରିବା ପରେ ୨୦୧୯ ମେ ୬ତାରିଖରେ ପୁଲିସ କେସ୍ ନମ୍ବର ୯୩/୧୯ରେ ମାମଲା ରୁଜୁ କରି ସିମିୟାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସିମିୟା ବର୍ତ୍ତମାନ ସୁଦ୍ଧା ଜେଲ୍ରେ ରହିଛି। ଏହି ମାମଲାରେ ତତ୍କାଳୀନ ପାଟପୁର ଥାନା ଏସ୍ଆଇ ପ୍ରୀତିମଂଜରୀ ଗଡ଼ନାୟକ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୨ଜଣ ସାକ୍ଷୀଙ୍କ ବୟାନ୍କୁ ଭିତ୍ତି କରି ଆବଶ୍ୟକ ପ୍ରମାଣ ଥିବାରୁ କୋର୍ଟ ଅଭିଯୁକ୍ତକୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରିଥିଲେ।