କାରଗାରରେ ବାହାଘର : ଦୁଷ୍କର୍ମ ପୀଡ଼ିତଙ୍କୁ ଜୀବନସାଥୀ କଲା ଅଭିଯୁକ୍ତ

ବାଲେଶ୍ବର : ନା ବରଯାତ୍ରୀ ନା ବାଣରୋଷଣୀ। ଜେଲ୍‌ ଭିତରେ ହେଲା ବାହାଘର। ତାହା ପୁଣି ଅଭିଯୋଗ କରିଥିବା ଯୁବତୀଙ୍କ ସହ ଅଭିଯୁକ୍ତ ଯୁବକଙ୍କର। ଘଟଣାଟି ଅବିଶ୍ବାସ ଲାଗୁଥିଲେ ବି ଶନିବାର ସଂଧ୍ୟାରେ ବାଲେଶ୍ବର ଜିଲ୍ଲା କାରଗାର ପରିସରରେ ଏମିତି ନିରାଡ଼ମ୍ବର ଭାବେ ଏକ ବାହାଘର ସମ୍ପନ୍ନ ହୋଇଛି। ଜେଲ କର୍ତ୍ତୃପକ୍ଷ ଓ ଅନ୍ତେବାସୀଙ୍କ ତରଫରୁ ନବଦମ୍ପତିଙ୍କ ଆର୍ଶୀବାଦ ପ୍ରଦାନ କରାଯାଇଛି।

southreelnews.com

ମିଳିଥିବା ଖବରରୁ ପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବିକାଶ ଦାସ(୨୫) ବାଲେଶ୍ବର ଜିଲ୍ଲା ରୁପ୍‌ସା ଥାନା ଅଞ୍ଚଳର ୨୦ ବର୍ଷୀୟା ଯୁବତୀ ବିନି(ଛଦ୍ମନାମ)ଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ହେଲା ଶାରୀରିକ ସମ୍ପର୍କ ରଖିଆସିଥିଲେ। ଇତିମଧ୍ୟରେ କିଛି ଖଳପ୍ରବୃତ୍ତିର ଲୋକଙ୍କ ପ୍ରରୋଚନାର ଶିକାର ହୋଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହେଲା। ପ‌ରେ ଉକ୍ତ ଘଟଣାକୁ ନେଇ ଯୁବତୀଜଣକ ରୁପ୍‌ସା ଥାନାରେ ଲିଖିତ ଅଭିଯୋଗ ହେଲା। ଅଭିଯୋଗ ମୂଳେ ବିକାଶ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ। ଏବେ ଅଭିଯୋଗକାରିଣୀ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ସହ ଅଭିଯୁକ୍ତ ବିକାଶ ଦାସଙ୍କ ପରିବାର ମଧ୍ୟରେ ଆପୋସ ବୁଝାମଣା ହେବା ସହ ଉକ୍ତ ଘଟଣାକୁ ନେଇ ହୋଇଥିବା ମନୋମାଳିନ୍ୟ ଦୂର ହୋଇପାରିଛି। ଅଭିଯୁକ୍ତ ଯୁବକ ଓ ପୀଡ଼ିତା ଯୁବତୀ ବିବାହ ବନ୍ଧନ ବାନ୍ଧିହେବା ପାଇଁ ଜେଲ ବିଭାଗକୁ ମଧ୍ୟ ଅନୁମତି ମାଗିଥିବା ବେଳେ ବିଭାଗର ଡିଜି ମଧ୍ୟ ଏଥିପାଇଁ ଅନୁମତି ଦେଇଥିଲେ। ଏହାପରେ ମାମଲାଟି କୋର୍ଟରେ ବିଚାରାଧୀନ ଥିବାରୁ ମାନ୍ୟବର କୋର୍ଟ ମଧ୍ୟ ସେମାନଙ୍କୁ ବିବାହ ପାଇଁ ଅନୁମତି ଦେଇଥିଲେ। ତେବେ ଗତକାଲି ସଂଧ୍ୟାରେ ଜେଲ୍‌ ପରିସରରେ ବିକାଶ ସହ ବିନିଙ୍କର ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ତରଫରୁ ଏହି ବିବାହର ପଞ୍ଜିକରଣ କରାଯାଇଥିଲା। ବାଲେଶ୍ବର ଜିଲ୍ଲା କାରଗାରରେ ବିଗତ ୩୦ ବର୍ଷ ଭିତରେ ଏହା ପ୍ରଥମ ଘଟଣା ବୋଲି ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର