ଭୁବନେଶ୍ବର : ଓଡ଼ିଶାରେ ଲୁଚିଛି ଗୁଜରାଟର ଦୁଷ୍କର୍ମକାରୀ ଶିକ୍ଷକ ଧବଲ ତ୍ରିବେଦୀ। ନାଁ ଓ ବେଶ ବଦଳାଇ ବୁଲୁଛି। ଟ୍ୟୁସନ କରୁଛି। କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛି। ସିବିଆଇ ମୁମ୍ବାଇର ସ୍ବତନ୍ତ୍ର ଅପରାଧ ଶାଖା ପକ୍ଷରୁ ଏଭଳି ସୂଚନା ମିଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ ହଜିଯାଇଛି। ଅଭିଯୁକ୍ତଙ୍କୁ ଖୋଜିବା ଲାଗି ସାରା ରାଜ୍ୟରେ ଜାଲ ବିଛାଇବା ଆରମ୍ଭ ହୋଇଛି। ଯେଉଁଠି ବି ଏଭଳି ଶିକ୍ଷକ ନଜରକୁ ଆସନ୍ତି ସଙ୍ଗେ ସଙ୍ଗେ ଖବର ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ନିର୍ଦେଶାଳୟକୁ ନିର୍ଦେଶ ଦିଆଯାଇଛି।
ଏପରିକି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ମଧ୍ୟ ନିଜ ସ୍ତରରେ ଉଦ୍ୟମ କରିବାକୁ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ୩୧୪ ବିଇଓଙ୍କୁ ଅଭିଯୁକ୍ତ ଧବଲ ତ୍ରିବେଦୀଙ୍କ ଫଟୋ ପଠାଯାଇଛି। ଏଥିସହ ପିଡ଼ୀତାଙ୍କ ଫଟୋ ସହ ସମସ୍ତ ତଥ୍ୟ ଏଥିରେ ରହିଛି। ଉକ୍ତ ଫଟୋ ଓ ତଥ୍ୟକୁ ବ୍ଲକସ୍ତରରେ ଥିବା ସମସ୍ତ ଶିକ୍ଷା ଅଧିକାରୀଙ୍କୁ ବଣ୍ଟନ କରିବାକୁ ନିର୍ଦେଶ ନିଆଯାଇଛି। ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ, ଶିକ୍ଷକଙ୍କ ନିକଟରେ ତାହା ପହଞ୍ଚାଇବାକୁ ବି କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସହବନ୍ଧିତ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ଯଦି କୌଣସି ସ୍ଥାନରେ ଏହି ଅଭିଯୁକ୍ତଙ୍କୁ ଦେଖିବାକୁ ମିଳେ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନା ନ ହେଲେ ସିବିଆଇ, ମୁମ୍ବାଇ ଠିକଣାରେ ଯୋଗାଯୋଗ କରିବାକୁ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦେଶକ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଗୁଜୁରାଟର ଏହି ଅଭିଯୁକ୍ତ ଜଣକ ୨୦୧୨ରେ ଗୁଜୁରାଟର ପଢ଼ାରୀ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲା। କିଛି ଦିନ ଜେଲ୍ରେ ରହିବା ପରେ ତାକୁ ଜାମିନ୍ ମିଳିଥିଲା। ଜାମିନ୍ରେ ଆସିବା ପରେ ସେ ୨୦୧୪ରେ ହରିୟାଣାରେ ପୁଣି ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ସେବେଠାରୁ ଅଭିଯୁକ୍ତ ଆଉ ଧରାପଡ଼ି ନାହିଁ।