ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ବନାଞ୍ଚଳ। ବିରଳ କୃଷ୍ଣସାର ମୃଗଙ୍କ ପ୍ରମୁଖ ଆସ୍ଥାନ ଭାବେ ଏହା ସମଗ୍ର ଏସିଆ ମହାଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ସା˚ପ୍ରତିକ ସ୍ଥିତିରେ ଏହି ବିରଳ ଓ ନିରୀହ ପ୍ରାଣୀକୁ ଯେମିତି ବିପଦ ମାଡ଼ିବସିଛି। ବଂଶବୃଦ୍ଧି ହେଉଛି ସତ। କିନ୍ତୁ, ସୁରକ୍ଷା ପାଇଁ ଦୀର୍ଘମିଆଦି ଯୋଜନା ଓ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି। ଖାଦ୍ୟ ଓ ପାଣି ପାଇଁ କୃଷ୍ଣସାର ଜନବସତିମୁହାଁ ହୋଇ କେତେବେଳେ ହିଂସ୍ର କୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି ତ, ଆଉ କେତେବେଳେ ରାସ୍ତା ପାର ହେଉଥିବା ସମୟରେ ଗାଡ଼ି ଧକ୍କାରେ ପ୍ରାଣ ହରାଉଥିବାର ନଜିର୍ ରହିଛି। ଗତ କିଛି ବର୍ଷ ଧରି କୃଷ୍ଣସାରଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି।

Advertisment

publive-image Adobe Stock

ଆସିକା ବ୍ଲକ୍ ଭେଟନଇ ପଞ୍ଚାୟତ ସମେତ ସିଦ୍ଧନୟୀ, ଖାରିଆ, ପାଣ୍ଡିଆପଥର, ବାବନପୁର, ବରଗାଁ ଓ ବଡ଼ଖୋଲି ପଞ୍ଚାୟତ କୃଷ୍ଣସାର ମୃଗଙ୍କ ପ୍ରାକୃତିକ ବାସସ୍ଥଳୀ ଓ ବିଚରଣସ୍ଥଳୀ ଭାବେ ପରିଚିତ। ବର୍ତ୍ତମାନ କୃଷ୍ଣସାର ମୃଗଙ୍କୁ ବାଲିଛାଇ ଓ ଗୁଣ୍ଠପଡ଼ା ପଞ୍ଚାୟତ ସମେତ ଧରାକୋଟ, ବୁଗୁଡ଼ା ଓ କବିସୂର୍ଯ୍ୟନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏଥିପାଇଁ କୃଷ୍ଣସାରଙ୍କୁ ଗଞ୍ଜାମର ଗର୍ବ ବୋଲି କୁହାଯାଇଥାଏ। ୧୯୭୩ ମସିହାରେ ପ୍ରଥମଥର ପାଇଁ ଆସିକା ବନାଞ୍ଚଳରେ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଥିଲା। ୧୯୭୩ରେ ୫୨୮ଟି କୃଷ୍ଣସାର ଥିବାବେଳ‌େ ୧୯୮୦ ରେ ୪୫୮, ୧୯୯୮ ରେ ୫୫୧,୨୦୦୪ ରେ ୭୮୦, ୨୦୦୬ରେ ୧୧୦୧, ୨୦୦୮ରେ ୧୬୭୨, ୨୦୧୦ ରେ ୨୧୮୧, ୨୦୧୧ରେ ୧୫୩୩, ୨୦୧୫ରେ ୨୬୧୮, ୨୦୧୮ରେ ୨୮୦୯ ଓ ୨୦୨୦ରେ ୪୧୧୪ଟି କୃଷ୍ଣସାର ଥିବା ଗଣନାରୁ ଜଣାପଡ଼ିଥିଲା। ପ୍ରତିବର୍ଷ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଥିବାବେ‌ଳେ ଏହାର ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି।

ତେବେ, ବିଭିନ୍ନ କାରଣରୁ ବିରଳ କୃଷ୍ଣସାର ମୃଗଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ସ୍ଥାନୀୟ ‘ସମ୍ବାଦ’କୁ କହିଛନ୍ତି। ସେମାନଙ୍କ ମତ‌ରେ, ‘ ପ୍ରଥମେ ସେମାନେ ରୋଗରେ ପଡ଼ୁଛନ୍ତି। ପୁଣି ତ କେତେବେଳେ ବନ୍ୟଜନ୍ତୁଙ୍କ ଆକ୍ରମଣ ଓ ଗାଡ଼ି ଧକ୍କାରେ ବି ମୃତ୍ୟୁବରଣ କରୁଛନ୍ତି। ଦଳଗତ ଭାବେ ରହୁଥିବା କୃଷ୍ଣସାରଙ୍କ ଖାଦ୍ୟ ଓ ପାଣି ପାଇଁ ବ୍ୟବସ୍ଥା ନଥିବାରୁ ସ୍ଥାନ ପରିବର୍ତ୍ତନ ବେଳେ ଦୁର୍ଘଟଣା ଓ ବନ୍ୟଜନ୍ତୁଙ୍କ ଦ୍ବାରା ଆକ୍ରମଣ ଭଳି ବିପଦକୁ ସାମ୍ନା କରିଥାନ୍ତି। ସେହିପରି ସଂପ୍ରତି ବାଲିପଦର, ଆସିକା ଓ କବିସୂର୍ଯ୍ୟନଗର ରାସ୍ତା କୃଷ୍ଣସାରଙ୍କ ଅବାଧ ବିଚରଣସ୍ଥଳୀ ପାଲଟିଛି। ତେବେ କିଛି ପ୍ରଭାବଶାଳୀ ବ୍ୟକ୍ତି ଜଗତିପଡ଼ିଆରେ କିଛି ଜମିକୁ ନିଜ ଅକ୍ତିଆରରେ ନେଇସାରିଛନ୍ତି। ଜାଲି ବାଡ଼ ନିର୍ମାଣ ହେତୁ ତାହା କୃଷ୍ଣସାରଙ୍କ ବିଚରଣରେ ବାଧା ସୃଷ୍ଟି କରୁଛି।’

publive-image

ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ ସୁରକ୍ଷା ସମିତିର ସଭାପତି ଅମୂଲ୍ୟ ଉପାଧ୍ୟାୟ କହିଛନ୍ତି, କୃଷ୍ଣସାର ମୃଗଙ୍କ ମୃତ୍ୟୁକୁ ନେଇ ପ୍ରକୃତ ତଥ୍ୟ ମିଳୁନି। କିନ୍ତୁ ବର୍ତ୍ତମାନ କୃଷ୍ଣସାରଙ୍କ ସୁରକ୍ଷା ପାଇଁ ସରକାର ଅଭୟାରଣ୍ୟ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଯଦ୍ବାରା ପର୍ଯ୍ୟଟକ ଅଧିକ ମାତ୍ରାରେ ଆକର୍ଷିତ ହୋଇପାରିବେ ବୋଲି ସେ ଉପାଧ୍ୟାୟ କହିଛନ୍ତି।

ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା କହିଛନ୍ତି, କୃଷ୍ଣସାରଙ୍କ ପାଇଁ ଘାସ, ମୁଗ, ବିରି ଓ ମାଣ୍ଡିଆ ଆଦି ଚାଷ କରାଯାଉଛି। ଏହାସହ ଗୋଟା ଲୁଣ ଓ ମାଟି ସହିତ ଲୁଣ ମିଶାଇ ଏକ ମିଶ୍ରଣ ବି ପ୍ରସ୍ତୁତ ହେଉଛି। ଯଦ୍ବାରା ସେମାନେ ‌ଏହାକୁ ଚାଟିବା ଦ୍ବାରା ସୁସ୍ଥ ରହିବା ସହ ଆୟୋଡ଼ିନ୍ ପାଇପାରିବେ। ତେବେ, ଏହି ବନାଞ୍ଚଳରେ କୃଷ୍ଣସାରଙ୍କ ବଂଶ ଯେଉଁ ମାତ୍ରାରେ ସେହି ବୃଦ୍ଧି ପାଉଛି, ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ଲାଗି ବି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି।