ରାଉରକେଲା: ବିରଳ ଗ୍ରୁପ୍‌ ରକ୍ତ ‘ବମ୍ବେ ଆର୍‌ଏଚ୍‌ ନେଗେଟିଭ୍‌’ ରାଉରକେଲାର ଜଣେ ଗର୍ଭବତୀଙ୍କ ଜୀବନ ବଞ୍ଚାଇଛି। ରାଉରକେଲା ସରକାରୀ ଡାକ୍ତରଖାନାର (ଆର୍‌ଜିଏଚ୍‌) ରକ୍ତଭଣ୍ଡାରର ବରିଷ୍ଠ ମେଡିକାଲ ଅଫିସ୍‌ର ଡାକ୍ତର ଏମ୍‌. ସୋରେନ୍‌, ୟୁନିଭର୍‌ସାଲ୍‌ ବ୍ଲଡ୍‌ ସଙ୍ଗଠନର ବିନୟ ସେଠୀ ଓ ଫେଡେରେସନ୍‌ ଅଫ୍‌ ବ୍ଲଡ୍‌ ଡୋନ୍‌ର ସଙ୍ଗଠନର ଅନୁପମ ଗୁପ୍ତାଙ୍କ ଉଦ୍ୟମ ଯୋଗୁ ସଂପୃକ୍ତ ମହିଳାଙ୍କ ପରିବାର ଏହି ବିରଳ ଗ୍ରୁପ୍‌ ରକ୍ତ ପାଇବାରେ ସକ୍ଷମ ହୋଇଥିଲେ। ରକ୍ତ ପ୍ୟାକେଟ୍‌ ଆସିବାକୁ ଟାଟା ମେମୋରିଆଲ ହସ୍ପିଟାଲରୁ ମୁମ୍ବାଇ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରିନ୍‌ କରିଡର୍‌ କରାଯାଇଥିଲା। ମୁମ୍ବାଇରୁ ବିମାନ ଯୋଗେ ରାଞ୍ଚି ବିମାନ ବନ୍ଦର ଏବଂ ସେଠାରୁ ଟ୍ରେନ୍‌ ଯୋଗେ ରାଉରକେଲାରେ ଆସି ରକ୍ତ ପହଞ୍ଚିଛି। ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଉକ୍ତ ମହିଳାଙ୍କୁ ଆସନ୍ତାକାଲି (ଶୁକ୍ରବାର) ଏହି ରକ୍ତ ଦିଆଯିବ। ଭାରତରେ ଏହି ବିରଳ ଗ୍ରୁପ୍‌ର ରକ୍ତ ମାତ୍ର ୭ ଜଣ ବ୍ୟକ୍ତିଙ୍କଠାରେ ରହିଛି। ଓଡ଼ିଶାରେ ଏହି ବିରଳ ଗ୍ରୁପ୍‌ ରକ୍ତ ମିଳେ ନାହିଁ ବୋଲି ଆର୍‌ଜିଏଚ୍‌ର ରକ୍ତଭଣ୍ଡାର ଡାକ୍ତର ‌ଏମ୍‌. ସୋରେନ୍‌ କହିଛନ୍ତି। 

Advertisment

ବିମାନବନ୍ଦର ପର୍ଯ୍ୟନ୍ତ କରାଗଲା ଗ୍ରିନ୍‌ କରିଡର୍‌
ଦେଶର ୭ ବ୍ୟକ୍ତିଙ୍କର ‘ବମ୍ବେ ଆର୍‌ଏଚ୍‌ ନେଗେଟିଭ୍‌’ ବ୍ଲଡ୍‌
ଆଜି ଗର୍ଭବତୀଙ୍କୁ ଦିଆଯିବ

ରାଉରକେଲା ମେନ୍‌ରୋଡ୍‌ରେ ରହୁଥିବା ଖୁସ୍‌ବୁନ୍‌ ନିସାଙ୍କର ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ‘ପ୍ଲାସେଣ୍ଟିଆ ପ୍ରିଭିଆ’ ନାମକ ରୋଗରେ ଆକ୍ରାନ୍ତ। ପ୍ରସୂତି ସମୟରେ ଆବଶ୍ୟକ ରକ୍ତ ପାଇଁ ରକ୍ତ ଗ୍ରୁପ୍‌ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ତାଙ୍କର ବିରଳ ଗ୍ରୁପ୍‌ ‘ବମ୍ବେ ଆର୍‌ଏଚ୍‌ ନେଭେଟିଭ୍‌’ ଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଡାକ୍ତର ମହିଳାଙ୍କ ପରିବାରକୁ ଆର୍‌ଜିଏଚ୍‌ ରକ୍ତଭଣ୍ଡାରରୁ ଏହି ବିରଳ ଗ୍ରୁପ୍‌ ରକ୍ତ ଆଣିବାକୁ କହିଥିଲେ। ପରିବାର ଲୋକ ରକ୍ତଭଣ୍ଡାରରେ  ଡାକ୍ତର ଏମ୍‌.ସୋରେନଙ୍କୁ ‘ବମ୍ବେ ଆର୍‌ଏଚ୍‌ ନେଗେଟିଭ୍‌’ ବ୍ଲଡ୍‌ ଦେବାକୁ କହିଥିଲେ। ଡାକ୍ତର ସୋରେନ୍‌ ପ୍ରଥମେ ଏହି ବିରଳ ଗ୍ରୁପ୍‌ ଦେଖି ଚକିତ ହୋଇଯାଇଥିଲେ। ପରେ ସେ ଅନୁପମ ଗୁପ୍ତା ଓ ବିନୟ ସେଠୀଙ୍କ ସହ ଯୋଗାଯୋଗ କରି ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଏହି ବିରଳ ଗ୍ରୁପ୍‌ ରକ୍ତ ଥିବା ଜାଣିବାକୁ ପାଇଥିଲେ। ପରେ ଖୁସ୍‌ବୁନ୍‌ଙ୍କ ରକ୍ତ ନମୁନା ଟାଟା ମେମୋରିଆଲ ହସ୍ପିଟାଲକୁ ପଠାଯାଇଥିଲା। ଆଜି ସକାଳୁ ଏହି ରକ୍ତ ହସ୍ପିଟାଲରୁ ମୁମ୍ବାଇ ବିମାନ ବନ୍ଦର ପର୍ଯ୍ୟନ୍ତ ଗ୍ରିନ୍‌ କରିଡର୍‌ରେ ଅଣାଯାଇଥିଲା।