ମଦନପୁର ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ତଥା ଆଖପାଖ ଅଞ୍ଚଳରେ ଐତିହାସିକ କିମ୍ବଦନ୍ତୀର ଅଭାବ ନାହିଁ । ଏହି କ୍ରମରେ ଶନିବାର ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମର ବରୁଣ ସାହୁ ନିଜ ଚାଷଜମିରେ ଟ୍ରାକ୍ଟରରେ ହଳ କରୁଥିବାବେଳେ ଏକ ବିରଳ ପ୍ରାଚୀନ କଳାକୃତି ଉଦ୍ଧାର ହୋଇଛି। କଳା ମୁଗୁନି ପଥରରେ ନିର୍ମିତ ଏହି କଳାକୃତିରେ ଦୁଇଟି ଗୋଡ଼ ଥିବା ଦେଖିବାକୁ ମିଳିଛି। ପଥରର ପଛ ପାଖ ଖାଲୁଆ ହୋଇଥିବାବେଳେ ମୁକୁଟରେ ଉଭୟ ପାର୍ଶ୍ବରେ ଦୁଇଟି ଘୋଡ଼ାର କଳାକୃତି ରହିଛି। ତତ୍ ସହିତ ଏକ ମସୃଣ ଶିଲପୁଆ ଆକାରର ସୁନ୍ଦର ପ୍ରସ୍ତର ମିଳିଛି। ଏହି କଳାକୃତିଟି ନିଖୁଣ ଅବସ୍ଥାରେ ଥିବାବେଳେ ଲଙ୍ଗଳ ଲାଗି ବାମ ହାତ ଓ ବାମ ଗୋଡଟି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି।
ଏହି କଳାକୃତିଟି ପାଖାପାଖି ୨୨ଇଞ୍ଚ ଉଚ୍ଚ ଓ ୯ଇଞ୍ଚ ଚଉଡ଼ା ବିଶିଷ୍ଟ। ଗ୍ରାମର ସତ୍ୟନାରାୟଣ ସାହୁ ଓ ଜମି ମାଲିକଙ୍କ କହିବା ଅନୁଯାୟୀ ସେହି ଜମିକୁ ଖୋଳିଲେ ଆହୁରି କିଛି କଳାକୃତି ମିଳିବା ସମ୍ଭାବନା ଅଛି। ପ୍ରତ୍ନତତ୍ତ୍ଵ ବିଭାଗ ଓ ଐତିହାସିକମାନେ ଏହାକୁ ଗୁରୁତ୍ବ ସହ ଅନୁଧ୍ୟାନ କଲେ ଜମିରେ ଓ ଆଖପାଖ ଅଞ୍ଚଳରେ ଆହୁରି କଣ ଅଛି ଓ ଏହି କଳାକୃତି କେତେବର୍ଷ ପୁରୁଣା ସେ ବାବଦରେ ବିଶେଷ ତଥ୍ୟ ମିଳିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/df36c43b-b36e-4b67-8e4a-4c1595c16e59-2.jpg)