ରାଉରକେଲା/ସମ୍ବଲପୁର: ଭୀଷଣ ତାତି ଯୋଗୁଁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ପରିସ୍ଥିତି। ଅଂଶୁଘାତରେ ଆଜି ୪୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସେଥିମଧ୍ୟରେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଗୋଟିଏ ଦିନରେ ଅତିକମ୍‌ରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁବାର ରାତି ୧୦ଟା ସୁଦ୍ଧା ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ୧୨ଜଣ, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୪ ଓ ବନ୍ଧମୁଣ୍ଡା ରେଳବାଇ ହସ୍‌ପିଟାଲ୍‌ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ କେବଳ ଇସ୍ପାତ୍‌ ସହରରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଦିନ ଦେଢ଼ଟାରୁ ରାତି ସାଢ଼େ ୮ଟା ଭିତରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଆଜି ସମ୍ବଲପୁରରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ବଲାଙ୍ଗୀରେ ୬, ଝାରସୁଗୁଡାରେ ୭ ଏବଂ ଅନ୍ୟ ସ୍ଥାନରେ ତିନି ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ରାଉରକେଲା ପ୍ରତିନିଧିଙ୍କ ସୂଚନା ଅନୁସାରେ, ଆଜି ପ୍ରାୟ ୧ଟା ୩୦ରେ ଜଣେ ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ଆର୍‌ଜିଏଚ୍‌କୁ ଅଣାଯାଇଥିଲା। ମୃତକଙ୍କ ଶରୀର ତାପମାତ୍ରା ୧୦୪ ଡିଗ୍ରି ଥିବାରୁ ଡାକ୍ତରଙ୍କ ସନ୍ଦେହ ହୋଇଥିଲା।

Advertisment

ରାଉରକେଲାରେ ୧୨ ମୃତ, ୨୨ ଚିକିତ୍ସାଧୀନ
ସମ୍ବଲପୁରରେ ୮, ଝାରସୁଗୁଡ଼ାରେ ୭, ବଲାଙ୍ଗୀରରେ ୬

ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହାପରେ ଜଣେ ପରେ ଜଣେ ସମାନ ଧରଣର ରୋଗୀ ହସ୍‌ପିଟାଲ୍‌ରେ ପହଞ୍ଚିବାରକୁ ଲାଗିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଡାକ୍ତରଖାନାକୁ ଆସିବା ବେଳକୁ ମୃତ୍ୟୁ ହୋଇ ସାରିଥିଲା। ଜଣ ପରେ ଜଣେ, ୮ ଜଣଙ୍କୁ ମୃତ ଅବସ୍ଥାରେ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ନବମ ବ୍ୟକ୍ତି ବଞ୍ଚିଥିବା ସମୟରେ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ତେବେ କିଛି ସମୟପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାର ଆଉ କିଛି ସମୟପରେ ଜଣେ ଗୁରୁତର ଅଂଶୁଘାତ ରୋଗୀଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଂଶୁଘାତ ରୋଗୀଙ୍କ ପାଇଁ କରାଯାଇଥିବା ସ୍ବତନ୍ତ୍ର ୱାର୍ଡରେ ରଖି ତାଙ୍କୁ ଚିକିତ୍ସା କରାଯାଇଥିଲା। ତେବେ ଚିକିତ୍ସା ଚାଲିଥିବା ବେଳେ ୨ ଘଣ୍ଟାପରେ ତାଙ୍କର ପରଲୋକ ହୋଇଥିଲା। ଏହାର ପ୍ରାୟ ଦୁଇ ଘଣ୍ଟାପରେ ଆଉ ଦୁଇଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସଂପ୍ରତି ଆଉ ୨୨ ଜଣ ଅଂଶୁଘାତ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଧ୍ୟ ୪ ଜଣଙ୍କର ସମାନଧରଣର ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ଏହି ସମସ୍ତଙ୍କର ଅଂଶୁଘାତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବନ୍ଧମୁଣ୍ଡା ରେଳବାଇ ଡାକ୍ତରଖାନାରେ ମଧ୍ୟ ଜଣେ ରେଳ କର୍ମଚାରୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାର ନାକଟିଦେଉଳର ଜଣକର ଏବଂ କାଳୀବାଡ଼ି ଅଂଚଳରେ ଜଣକର ମୃତ୍ୟୁ ହୋଇଛି। ସେହିପରି ଆଉ ୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। ସେମାନେ ଅସୁସ୍ଥ ହେବାରୁ ମେଡିକାଲ ଅଣାଯାଇଥିଲା। ଏଠାରେ ସମସ୍ତଙ୍କୁ ମୃତ ଘୋଷଣା କରାଯାଇଛି। କୁଚିଣ୍ଡା ଥାନା ଜୁନାନୀ ନିକଟରେ ଜଣେ ଟ୍ରକ୍‌ ଡ୍ରାଇଭର୍‌ ଏବଂ ହୀରାକୁଦ ଗୁଜାତଳର ମାଲିକ ରାମ (୭୨)ଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ସଦର ବ୍ଲକ୍‌ ଅନ୍ତର୍ଗତ ରାନୀପାଲି ନିବାସୀ ରାମଚନ୍ଦ୍ର ଗଡ଼ତିଆ, ଶିକାଛିଡ଼ା ମଦ ଭାଟିରେ କାମ କରୁଥିବା ଔରଙ୍ଗାବାଦ ନିବାସୀ ଜିତେନ୍ଦ୍ର ତିୱାରୀଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର ପାଟଣାଗଡ଼ ବ୍ଲକ ଗେର୍ଡ଼ା ଗ୍ରାମର ବୃଦ୍ଧା ପଦ୍ମାବତୀ ବରିହା, ଟିଟିଲାଗଡ଼ରେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଏବଂ ବିଶାଖାପାଟଣାରୁ ରାୟପୁରକୁ ଯାଉଥିବା ଜଣେ ଟ୍ରକ୍‌ (ଟିଏନ୍‌ ୫୨ସି-୫୪୭୪) ଚାଳକ ତାମିଲନାଡୁ ରାଜ୍ୟ ସେଲମ ଜିଲ୍ଲା ରଙ୍ଗମପ୍ଲିୟମ ଗ୍ରାମର ଏ. ଶିବମ (୫୮)ଙ୍କ ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କମିରା ଗ୍ରାମର ପ୍ରସନ୍ନ ବାବୁ (୪୬ ବର୍ଷ)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ମ. ରାମପୁର ପାଇକପଡ଼ାର ଭାଗିରଥୀ ବଗର୍ତ୍ତି (୭୩ ବର୍ଷ)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି। ବରଗଡ଼ ସହରର ବଜାରରେ ହେମାଳି ଭାବରେ କାମ କରୁଥିବା ସମୟରେ ଜନୈକ ଯୁବକ ସୁବଳ ବେହେରା (୩୨) ଟଳି ପଡ଼ିଥିଲେ। ତାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ସେହିପରି ଝାରସୁଗୁଡା ଜିଲ୍ଲାରେ ଗୁରୁବାର ୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।