ଏମ୍ସରେ ବିରଳ ଫୁସ୍‌ଫୁସ୍‌ ଚିକିତ୍ସା: ସୁସ୍ଥ ହେଲା ସାଢ଼େ ୩ ବର୍ଷର ଶିଶୁକନ୍ୟା

ଭୁବନେଶ୍ବର : ଫୁସ୍‌ଫୁସ୍‌ରେ ଜମା ହୋଇଯାଉଥିଲା ପ୍ରୋଟିନ୍‌ ଭଳି ପଦାର୍ଥ। ଏଥିଯୋଗୁଁ ନିଃଶ୍ବାସରେ କଷ୍ଟ ଅନୁଭବ କରୁଥିଲା ନାଗପୁରର ଜଣେ ସାଢେ ତିନି ବର୍ଷ ବୟସର ଶିଶୁକନ୍ୟା। ମହାରାଷ୍ଟ୍ର ଏମ୍ସରେ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ନ ହେବାରୁ ତା’କୁ ଏମ୍ସ ଭୁବନେଶ୍ବରକୁ ଅଣାଯାଇଥିଲା। ଏଠାରେ ଅଭିଜ୍ଞ ଡାକ୍ତରୀଦଳ ତା’ର ଫୁସ୍‌ଫୁସ୍‌ ସଫା କରିବାରେ ସଫଳ ହେବାରୁ ପିଲାଟି ସୁସ୍ଥ ହୋଇଛି। ଢେଙ୍କାନାଳ ପରେ ନାଗପୁରର ଏତେ ଛୋଟ ଶିଶୁର ଫୁସ୍‌ଫୁସ୍‌ ସମସ୍ୟାର ସଫଳ ଚିକିତ୍ସା କରିପାରିଥିବାରୁ ଏମ୍ସ ଡାକ୍ତରୀଦଳକୁ ପ୍ରଶଂସାର ସୁଅ ଛୁଟିଛି। ଏମ୍ସ ଶିଶୁ ରୋଗ ବିଭାଗର ଡାକ୍ତର ରଶ୍ମିରଂଜନ ଦାସ, କ୍ରିଷ୍ଣା ଗୁଲା, ଅମିତ ଶତପଥୀ, ନିଶ୍ଚେତକ ବିଭାଗର ଡାକ୍ତର ସତ୍ୟଜିତ ମହାପାତ୍ର, ବିକ୍ରମ କିଶୋର ବେହେରା, ଶିଶୁ ସର୍ଜରି ବିଭାଗର ଡାକ୍ତର ମନୋଜ ମହାନ୍ତି, ବିକାଶ ବିହାରୀ ପ୍ରମୁଖ ଏହି ଚିକିତ୍ସା କରିଛନ୍ତି।

ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ; ଏକ ବର୍ଷରୁ ଅଧିକ ସମୟ ହେଲା ଏହି ଶିଶୁକନ୍ୟାଟି ନିଃଶ୍ବାସପ୍ରଶ୍ବାସ ନେବାରେ ସମସ୍ୟାର ସମ୍ମୁଖୀନ ହେଉଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ୪ ମାସ ହେଲା ତା’କୁ ଅକ୍ସିଜେନରେ ରଖିବାକୁ ପଡ଼ିଥିଲା। ରୋଗ ପରୀକ୍ଷା ପରେ ଶିଶୁଟି ପଲମୋନାରି ଏଲଭୋଲାର ପ୍ରୋଟେନ୍ସି ନାମକ ଏକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ଅନୁସାରେ, ଏହି ରୋଗର କୌଣସି ଔଷଧ କିମ୍ବା ଅସ୍ତ୍ରୋପଚାର ନାହିଁ। ଜିନ୍‌ଗତ କିମ୍ବା ବିଭିନ୍ନ କାରଣରୁ ଫୁସ୍‌ଫୁସ୍‌ରେ ପ୍ରୋଟିନ ଜମା ହୋଇଯାଏ। ଗତ ମାସରେ ଏହିଭଳି ରୋଗରେ ପୀଡ଼ିତ ଢେଙ୍କାନାଳର ଏକ ଶିଶୁର ସଫଳ ଚିକିତ୍ସା ଏମ୍ସ ଭୁବନେଶ୍ବରରେ ହୋଇଥିଲା। ଏ ସମ୍ପର୍କରେ ନାଗପୁର ଶିଶୁଙ୍କ ଅଭିଭାବକ ଜାଣିବା ପରେ ସେଠାକାର ଏମ୍ସ ଡାକ୍ତରମାନଙ୍କ ସହ ପରାମର୍ଶ କରି ଭୁବନେଶ୍ବର ଏମ୍ସକୁ ଚିକିତ୍ସା ପାଇଁ ରେଫର୍ ହୋଇ ଆସିଥିଲେ। ଢେଙ୍କାନାଳ ଶିଶୁଟିର ଫୁସ୍‌ଫୁସ୍‌ ସଫା ପାଇଁ ଏକ୍‌ମୋର ଆବଶ୍ୟକତା ପଡ଼ିଥିଲା। ମାତ୍ର ନାଗପୁରର ଏହି ସାଢେ ତିନି ବର୍ଷର ଶିଶୁର ଫୁସ୍‌ଫୁସ୍‌ ସଫା ପାଇଁ ଏକ୍‌ମୋର ମଧ୍ୟ ଆବଶ୍ୟକତା ପଡ଼ିଲା ନାହିଁ। ସେ ସୁସ୍ଥ ହୋଇ ଫେରିଛନ୍ତି।

ସମ୍ବନ୍ଧିତ ଖବର