ଚନ୍ଦ୍ରଶେଖରପୁର: କିମ୍ସ କ୍ୟାନ୍ସର ସେଣ୍ଟରରେ ଜଣେ କର୍କଟ ରୋଗୀଙ୍କର ବିରଳ ପ୍ଲାଷ୍ଟିକ୍ ସର୍ଜରି କରାଯାଇଛି। ରୋଗୀଜଣକ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୫ବର୍ଷ ଧରି ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ବିଭିନ୍ନ ପ୍ରୟାସ ପରେ ଚିକିତ୍ସାରେ ସୁଫଳ ନମିଳିବାରୁ ତାଙ୍କର ଭାସ୍କୁଲାରାଇଜଡ୍ ଲିମ୍ଫ ନୋଡ୍ ଟ୍ରାନ୍ସଫର କରିବା ପାଇଁ କିମ୍ସ ଡାକ୍ତର ନିଷ୍ପତ୍ତି ନେଇଥିଲେ। ଆସ୍ତ୍ରୋପଚାର ପୂର୍ବରୁ ଆଇସିଜି ସ୍କାନିଂ କରି ରୋଗୀଙ୍କ ହାତର ଲିମ୍ଫାଟିକ୍ ସିଷ୍ଟମକୁ ପର୍ଯ୍ୟବେକ୍ଷଣ କରିବା ପରେ କେବଳ ଲାଳ ଗ୍ରନ୍ଥିକୁ ଅଲଟ୍ରାସାଉଣ୍ଡ ଜରିଆରେ ଚିହ୍ନଟ କରାଯାଇଥିଲା।
ପରେ କିମ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲ୍ରେ ବରିଷ୍ଠ ପ୍ଲାଷ୍ଟିକ୍ ସର୍ଜନ ଡା. ସୁନୀଲ କୁମାର ରାଉତଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଥିଲା। ବରିଷ୍ଠ କ୍ୟାନ୍ସର ସର୍ଜନ ଡା. ସବ୍ୟସାଚୀ ପରିଡ଼ା ଓ ପ୍ଲାଷ୍ଟିକ୍ ସର୍ଜନ ଡା. ସମୀର କୁମାର ପଟେଲ୍, ନିଶ୍ଚେତକ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଟି. ରାଜ ମୋହନରାଓ ଏବଂ ଡା. ପୂରବୀ ଆଚାର୍ଯ୍ୟ ଡା. ରାଉତଙ୍କୁ ସହାୟତା କରିଥିଲେ। ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସାଧାରଣ ଅବସ୍ଥାକୁ ଆସି ଘରକୁ ଫେରି ଯାଇଛନ୍ତି।