ବିରଳ ଜନନେତା ବିଷ୍ଣୁ ଦାସ

ଅରବିନ୍ଦ ରାୟ

ଜଗତସିଂହପୁରକୁ ନେଇ ମୋର ସ୍ବପ୍ନ କେତୋଟି ଦିନ ବା ମାସର ନୁହେଁ। ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳୁ ହିଁ ଜଗତ୍‌ସିଂହପୁରର ସାମଗ୍ରିକ ବିକାଶ ନେଇ ମୁଁ ବେଶ୍ ଆଶାବାଦୀ ହୋଇପଡ଼ିଥିଲି।’ ଏହା ଥିଲା ଜଗତସିଂହପୁର ଜିଲ୍ଲାର ଲୋକପ୍ରିୟ ଜନନେତା, ପୂର୍ବତନ ମନ୍ତ୍ରୀ ଓ ସାଂସଦ ତଥା ରାଜ୍ୟ ଯୋଜଡ଼ା ବୋର୍ଡର ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ମନ୍ତବ୍ୟ।

ବିଷ୍ଣୁ ଦାସଙ୍କ ରାଜନୈତିକ ଜୀବନର ସୂତ୍ରପାତ ହୁଏ ଏକ ବିପ୍ଳବରୁ। ସେ ଏକ ସାଧାରଣ ଦିନମଜୁରିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବିଦ୍ୟାଳୟରେ ପଢ଼ୁଥିବା ସମୟରେ ମୁଣ୍ଡରେ ଇଟା ବୋହିବା ସହ, ଶଗଡ଼ରେ କାଠ ବୋହି ପାଠପଢ଼ା ଖର୍ଚ୍ଚ ତୁଲାଉଥିଲେ। ଯାହାଫଳରେ ତାଙ୍କର ପାଠପଢ଼ା ବାରମ୍ବାର ବ୍ୟାହତ ହୋଇଥିଲା। ତେବେ ବିଦ୍ୟାଳୟରେ ଛାତ୍ର ଥିବା ସମୟରେ ହିଁ ତାଙ୍କ ଜୀବନରେ ଏକ ଘଟଣା ଘଟିଥିଲା। ୧୯୬୪ ମସିହାର ଛାତ୍ର ଆନ୍ଦୋଳନ ବେଳେ ସେ ବିଦ୍ୟାଳୟର ଛାତ୍ର ଥିଲେ ମଧ୍ୟ ଜଗତସିଂହପୁର ଥାନା ଘେରାଉରେ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ସେହି ଆନ୍ଦୋଳନ ସମୟରେ ‌ପୁଲିସର ଗୁଳି ଚାଳନାରେ ଜଗତସିଂହପୁର ମାଟିର କୃଷ୍ଣ ପ୍ରସାଦ ମହାନ୍ତି ଶହୀଦ ହୋଇଯାଇଥିଲେ। ପୋଲିସର ଏହି ଗୁଳିକାଣ୍ଡ ଛାତ୍ର ବିଷ୍ଣୁ ଦାସଙ୍କ ମନରେ ଗଭୀର ରେଖାପାତ କରିଥିଲା ଏବଂ ସେହିଦିନ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ସଂକଳ୍ପ କରିଥିଲେ। ଏହାର ଠିକ୍ ପାଞ୍ଚବର୍ଷ ପରେ ୧୯୬୯ ମସିହାରେ ସେ ତାଙ୍କ ଗାଁ ପାଖ ପାଣିଶାଳିଆର ମଧୁ ବିଶ୍ବାଳଙ୍କ ସହ ବାଲିଚନ୍ଦ୍ରପୁର ଯାଇଥିଲେ ବିଜୁବାବୁଙ୍କ ନେତୃତ୍ବରେ ଅନୁଷ୍ଠିତ ହେଉଥିବା ଉତ୍କଳ କଂଗ୍ରେସର ତିନିଦିନିଆ ସମ୍ମିଳନୀ ଦେଖିବାକୁ।

ସେତେବେଳକୁ ସେ ମାତ୍ର ୧୭-୧୮ ବର୍ଷର କିଶୋର। ଏକ କୌତୂହଳରେ ବିଜୁ ପଟ୍ଟନାୟକଙ୍କୁ ଦେଖିବାକୁ ଯାଇଥିଲେ। ବିଜୁବାବୁଙ୍କୁ ଦେଖିବା ପରେ ସେ ଏପରି ଆକର୍ଷିତ ହୋଇଗଲେ ଯେ, ସେଇଦିନୁ ମନେମନେ ତାଙ୍କୁ ନିଜର ଦିଗ୍‌ଦର୍ଶକ ଭାବେ ଗ୍ରହଣ କରିନେଲେ। ଏହାପରେ ୧୯୭୧ ମସିହାରେ କଣ୍ଡୁରୀ ଚରଣ ମଲ୍ଲିକଙ୍କ ପାଇଁ ପ୍ରତ୍ୟକ୍ଷ ପ୍ରଚାର ଦାୟିତ୍ବ ନେଲେ। ୧୯୭୭ ମସିହାରେ ସେ ଜଗତସିଂହପୁରର ଏସ.ଭି.ଏମ୍. କଲେଜର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହେଲେ। ସେହିବର୍ଷ ପ୍ରଦ୍ୟୁମ୍ନ ବଳ ଜଗତସିଂହପୁର ଲୋକସଭା ଆସନରୁ ବିଜୁବାବୁଙ୍କ ମନୋନୀତ ପ୍ରାର୍ଥୀ ହୋଇଥିଲେ। ସେ ନିର୍ବାଚନରେ ମଧ୍ୟ ବିଷ୍ଣୁ ଦାସ ଥିଲେ ଅଗ୍ରଣୀ ସଂଗଠକ। ୧୯୮୦ ମସିହାରେ ଛବିରାଣୀ ଗଣଧର୍ଷଣ ଓ ହତ୍ୟାକାଣ୍ଡ ହେଲା। ଏହା ବିରୁଦ୍ଧରେ ବିଷ୍ଣୁ ଦାସଙ୍କ ନେତୃତ୍ବରେ ଏକ ଗଣସଂଗ୍ରାମ ସମଗ୍ର ଦେଶରେ ବ୍ୟାପିଗଲା। ତାଙ୍କର ସାଂଗଠନିକ ଦକ୍ଷତା ଓ ସାଲିସବିହୀନ ନେତୃତ୍ବ ଯୋଗୁଁ ତାଙ୍କୁ ଲୋକଦଳର ଓଡ଼ିଶା ଶାଖା ଛାତ୍ର ସଂଗଠନର ସଭାପତି କରାଯାଇଥିଲା। ୧୯୮୫ ମସିହାରେ ସେ ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ଜନତା ଦଳର ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏହାପରେ ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଲଗାତାର ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ବିଜୟୀ ହେବା ସହ ୨୦୧୯ରେ ତିର୍ତ୍ତୋଲ ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଏହା ମଧ୍ୟରେ ସେ ରାଜ୍ୟରେ କ୍ୟାବିନେଟ୍‌ ମନ୍ତ୍ରୀ ଓ ରାଜ୍ୟସଭା ସଦସ୍ୟ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ହୋଇଥିଲେ। ଗତ ନିର୍ବାଚନ ସମୟରୁ ସେ ଅସୁସ୍ଥ ଥିଲେ। ଶେଷରେ ଗତ ୬ ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଛି। ଦଳମତ ନିର୍ବିଶେଷରେ ସମସ୍ତେ କହୁଛନ୍ତି- ‘ ବିଷ୍ଣୁ ଦାସ ପେଟ ଚିହ୍ନିବା ମଣିଷ ଥିଲେ। ଏମିତି ଦରଦୀ, ସ୍ନେହୀ ଓ ଅକପଟ ମଣିଷ ରାଜନୀତିରେ ବିରଳ।’ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।

ସମ୍ବନ୍ଧିତ ଖବର