ଓଡ଼ିଶା ଶାଙ୍କୁଚରେ ଚାଇନା ସୁପ୍‌, କୋଲକାତା ଦେଇ ହେଉଛି ଚାଲାଣ

ବିରଳ ପ୍ରଜାତିର ଶାଙ୍କୁଚ ଜବତ, ୨ ଗିରଫ

ରାଜନଗର : ‘ତଫସିଲ-୧’ ଭୁକ୍ତ ଶ୍ରେଣୀର ବିରଳ ଶାଙ୍କୁଚକୁ ବେଧଡ଼କ ଭାବେ ଚାଲାଣ କରାଯାଉଛି। ରାଜନଗର ଅଂଚଳରେ ଥିବା କିଛି ‘ଅର୍ତ(ମାଛଗଦି)’ରୁ ମାଛ ରାଜ୍ୟ ବାହାରକୁ ପଠାଇବା ବାହାନାରେ ଶାଙ୍କୁଚକୁ ଚାଲାଣ କରୁଛନ୍ତି। ରାଜନଗରରୁ କୋଲାକାତା ଓ କୋଲକାତାରୁ ଚାଇନାକୁ ଚାଲାଣ ହେଉଛି ଶାଙ୍କୁଚ। ଓଡ଼ିଶା ଶାଙ୍କୁଚର ସୁପ୍ ରାଜ୍ୟ ଓ ଦେଶ ବାହାରେ ଚାହିଦା ଥିବାରୁ ଏହାକୁ ଚାଲାଣ କରାଯାଉଛି। ଚାଲାଣ ପାଇଁ ମାଛ ପେଟିରେ ପ୍ୟାକିଂ ହୋଇଥିବା ୨୫ କେଜି ଓଜନର ୨ଟି ଶାଙ୍କୁଚକୁ ମାଛ ଅର୍ତରୁ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଶାଙ୍କୁଚ ରଖିବା, ବିକିବା ଓ ଚାଲାଣ କରିବା ଅଭିଯୋଗରେ ସଂପୃକ୍ତ ମାଛ ଅର୍ତକୁ ସିଲ୍‌ କରାଯାଇଛି। ଭିତରକନିକା ଅଂଚଳରେ ଶାଙ୍କୁଚ ଜବତ ହେବା ଓ ଏହି ଘଟଣାରେ ଗିରଫ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି।

ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଗର୍ଜନପୁର ରାସ୍ତାରେ ଥିବା ମାଛ ଅର୍ତରେ ଶାଙ୍କୁଚ ରାଜ୍ୟ ବାହାରକୁ ଚାଲାଣ ପାଇଁ ରଖାଯାଇଥିବା ବନବିଭାଗକୁ ଖବର ମିଳିଥିଲା। ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ ପତିଙ୍କ ନିର୍ଦ୍ଦେଶ କ୍ରମେ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ସୂର୍ଯ୍ୟନାରାୟଣ ଲେଙ୍କାଙ୍କ ନେତୃତ୍ବରେ ଏକ ଟିମ୍‌ ଏହି ମାଛ ଅର୍ତ ଉପରେ ଚଢଉ କରିଥିଲେ। ଅର୍ତରେ ଥିବା ମାଛ ପେଟି ମଧ୍ୟରୁ ଗୋଟିକରେ କୋଲକାତା ଚାଲାଣ ପାଇଁ ରଖାଯାଇଥିବା ଦୁଇଟି ଶାଙ୍କୁଚ ଜବତ କରାଯାଇଥିଲା। ଗୋଟିଏ ଶାଙ୍କୁଚର ଓଜନ ୧୬ କେଜି ୧୭୦ ଗ୍ରାମ ହୋଇଥିବା ବେଳେ ଅନ୍ୟଟିର ଓଜନ ୯ କେଜି ୩୩୦ ଗ୍ରାମ। ଦୁଇଟି ଶାଙ୍କୁଚର ମୋଟ ଓଜନ ୨୫ କେଜି ୫ଶହ ଗ୍ରାମ। ଏହି ଜବତ ଶାଙ୍କୁଚ ‘ତଫସିଲ–୧’ ଭୁକ୍ତ ଶ୍ରେଣୀର ହିମାନଟୁରାଏସ୍‌ପି। ଯାହାକୁ ସ୍ଥାନୀୟ ଅଂଚଳରେ ଦଂଶକ ଶାଙ୍କୁଚ ବା ଚାବୁକ ଶାଙ୍କୁଚ କୁହାଯାଏ। ଏହି ଦୁଇଟି ଶାଙ୍କୁଚ ଜବତ କରାଯିବା ସହ ମାଛ ଅର୍ତର ମାଲିକ ଶଙ୍ଖାଳୀ ଚରଣ ମାଝୀ ଓ ତାଙ୍କ ପୁଅ ସୁଶାନ୍ତ କୁମାର ମାଝୀଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର