ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଜଣେ ରୋଗୀଙ୍କ ମେରୁଦଣ୍ଡରେ ଥିବା ୩ ଇଞ୍ଚ ଟ୍ୟୁମର୍କୁ ସଫଳତାର ସହ ଅସ୍ତ୍ରୋପଚାର କରି ବାହାର କରାଯାଇଛି। ଫଳରେ ବହୁଦିନରୁ ଯନ୍ତ୍ରଣା ଭୋଗୁଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ଦିରାକଞ୍ଚ ଗ୍ରାମର ବଇଦ ନାଏକ(୫୦) ନୂଆ ଜୀବନ ପାଇଛନ୍ତି। ଏହା ଅତି ବିରଳ ରୋଗ ବୋଲି ଅସ୍ତ୍ରୋପଚାର କରିଥିବା ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ଡା.ରବିନାରାୟଣ ପଣ୍ଡା କହିଛନ୍ତି। ଚାଷ କାମ କରୁଥିବା ବଇଦ ଗତ ଜୁନ୍ ମାସରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଗୋଡ଼ରେ ଦରଜ ହେବା ସହ ଶରୀର ବାମପାର୍ଶ୍ବ ଥରିବାକୁ ଲାଗିଥିଲା।
ଅନିୟନ୍ତ୍ରିତ ରୂପେ ବଢ଼ୁଥିବା ମାଂସପିଣ୍ଡୁଳା କାରଣରୁ ସେ ଚଲାବୁଲା ମଧ୍ୟ କରିପାରୁ ନଥିଲେ। ଫଳରେ ପରିବାରବର୍ଗ ତାଙ୍କୁ କୋରାପୁଟ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତଥାପି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅଗଷ୍ଟରେ ପ୍ରଥମେ ମେଡିସିନ୍ ବିଭାଗରେ ଓ ପରେ ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ଡା.ରବିନାରାୟଣ ପଣ୍ଡାଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଆରମ୍ଭ ହୋଇଥିଲା। ପରୀକ୍ଷାନିରୀକ୍ଷା ପରେ ବଇଦ ‘ମାସୋନ୍ସ ହାଇମାନଜିଓମା’ରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସାଧାରଣତଃ ଏହି ରୋଗରେ ମେରୁଦଣ୍ଡରେ ଟ୍ୟୁମର୍ ହୋଇଥିବା କାରଣରୁ ଶରୀରର ଅନ୍ୟ ଭାଗ ଉପରେ ପ୍ରଭାବ ପଡ଼ିଥାଏ। ରୋଗୀ ଚଳପ୍ରଚଳ କରିପାରି ନଥାଏ। ଫଳରେ ବଇଦଙ୍କ ଶରୀର ସଂପୂର୍ଣ୍ଣ ଭାବେ ଅଚଳ ହେବା ଆଶଙ୍କା ଦେଖାଦେଇଥିଲା। ତଥାପି ତାଙ୍କୁ ନୂଆ ଜୀବନ ଦେବାକୁ ବିଭାଗୀୟ ମୁଖ୍ୟ ଡା.ପଣ୍ଡାଙ୍କ ନେତୃତ୍ବରେ ୫ ଜଣିଆ ଡାକ୍ତର ଟିମ୍ ଉଦ୍ୟମ କରିଥିଲେ। ଗତ ଶୁକ୍ରବାର ଦିନ ତିନି ଘଣ୍ଟାର ଅସ୍ତ୍ରୋପଚାର ପରେ ବଇଦଙ୍କ ମେରୁଦଣ୍ଡରୁ ୩ ଇଞ୍ଚର ମାଂସ ପିଣ୍ଡୁଳାକୁ ବାହାର କରାଯାଇଥିଲା। ଡା. ଦେବଦତ୍ତ ସେନାପତି, ଡା.ତୁଷାରକାନ୍ତ ରଥ ଓ ଡା.ଦେବଶ୍ରୀ ମହାରଣାଙ୍କ ସହ ନିଶ୍ଚେତକ ବିଭାଗର ବରିଷ୍ଠ ଡାକ୍ତର ଏଥିରେ ସାମିଲ ହୋଇଥିଲେ। ବର୍ତ୍ତମାନ ବଇଦଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଆସନ୍ତା ସପ୍ତାହରେ ସେ ଡିସ୍ଚାର୍ଜ ହେବେ ବୋଲି ସୂଚନା ମିଳିଛି।