ମାଲକାନଗିରି: ଦୀର୍ଘ ମାସ ଧରି ଅବହେଳିତ କୃଷି କର୍ମଚାରୀମାନଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉଦାସୀନ ରହି ଆସୁଥିବା ଅଭିଯୋଗ ହୋଇଛି, ଯେଉଁଥିପାଇଁ ଜିଲ୍ଲା କୃଷି କର୍ମଚାରୀ ସଂଘ ରାଜ୍ୟ କୃଷି କର୍ମଚାରୀ ସଂଘର ନିର୍ଦ୍ଦେଶରେ ଗଣଧାରଣାରେ ବସିଛନ୍ତି। ଫେବ୍ରୁଆରି ୧୩ ତାରିଖ ଠାରୁ ଏହି ଧାରଣା ଜିଲ୍ଲା କୃଷି କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ବେଳେ ଆଜି ଧାରଣାରେ ବସିଥିବା ସମସ୍ତ କୃଷି କର୍ମଚାରୀ ରକ୍ତ ଦାନ କରି ନିଜର ଦାବି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।ସଂଘ ପକ୍ଷରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

Advertisment

କୃଷି କର୍ମଚାରୀ ଗତ କିଛି ମାସ ଧରି ୭ଦଫା ଦାବି ରାଜ୍ୟ ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରକାର ନିରବଦ୍ରଷ୍ଟା ସାଜିଥିବା ଜିଲ୍ଲା କୃଷି କର୍ମଚାରୀ ସଂଘ ଅଭିଯୋଗ କରିଛନ୍ତି।ମୁଖ୍ୟତଃ ଦାବି ଗୁଡ଼ିକୁ ହେଲା, କେଡର୍ ପୁନର୍ଗଠନ, ଗ୍ରେଡ୍ ପେ ଭଳି ବହୁ ପ୍ରତିକ୍ଷିତ ଦାବି ପ୍ରତି ଅଣଦେଖା କରୁଥିବା ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଅଭିଯୋଗ କରି ଆସୁଛି। ଏଣୁ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଗତ ଫେବୃଆରୀ ୦୮ ତାରିଖ ଠାରୁ ୧୨ ପର୍ଯ୍ୟନ୍ତ ମୋବାଇଲ ଯୋଗେ ବିଭାଗୀୟ ସେବାରୁ ନିବୃତ ରହିବା ପାଇଁ ଚେତାବନୀ ଦେଇଥିଲେ। ଏଥିସହିତ ସରକାରଙ୍କୁ ଏକ ଦାବିପତ୍ର ଜରିଆରେ ଚେତାବନୀ ଦେଇଥିଲେ ତଥାପି ରାଜ୍ୟ ସରକାର ସଂଘ କରିଥିବା ଦାବିକୁ ପୂରଣ କରିନଥିବାରୁ ଗତ ୧୩ ତାରିଖ ଠାରୁ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ମୋବାଇଲ ଯୋଗେ କରୁଥିବା ପ୍ରଦତ୍ତ ସେବା ବନ୍ଦ ସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି। ଏଥିସହିତ ଆସନ୍ତା ୨୦ ତାରିଖ ଠାରୁ ରାଜ୍ୟ ମୁଖ୍ୟ ଦପ୍ତର କୃଷି ଭବନ ସମ୍ମୁଖରେ ସମୂହ ଗଣଧାରଣା ଦେବେ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି।ଏଥିରେ ଯଦି କୃଷି ଓ କୃଷକମାନଙ୍କର କୌଣସି କ୍ଷତି ଘଟେ ତାହା ପାଇଁ ବିଭାଗ ଓ ସରକାର ଏହାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏହି ଗଣଧାରଣାରେ ସଂଘର ଜିଲ୍ଲା ସଭାପତି ମନୋଜ ଢ଼ାଲି ସମ୍ପାଦକ ଭୁପେଶ କୁମାର ଷଡ଼ଙ୍ଗୀ,ଦେବାଶିଷ ମିଶ୍ର,ସୁଦେବ ରାୟ, ମିନାକ୍ଷୀ ରାଓ,ବିଶ୍ବନାଥ ମଣ୍ଡଳ,ଅମୂଲ୍ୟ ପାତ୍ର,ରବିନ୍ଦ୍ରନାଥ ପଟ୍ଟନାୟକ, ଅବିନାଶ ମହାନ୍ତି ସମେତ ୫୪ ଜଣ ଜିଲ୍ଲା କୃଷି କର୍ମଚାରୀ ମହିଳା ଓ ପୁରୁଷ ପ୍ରମୁଖ ଉପସ୍ଥିତ ରହିଥିଲେ।