ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଜି ସଫଳତାର ସହ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। କାର୍ଡିଓ ଥୋରାସିକ୍ ଏବଂ ଭାସ୍କୁଲାର୍ ଅସ୍ତ୍ରୋପଚାର(ସିଟିଭିଏସ୍) ବିଭାଗ ପକ୍ଷରୁ ଜଣେ ଯୁବକଙ୍କ ଫୁସ୍ଫୁସ୍ରୁ ୮ ସେମି ଲମ୍ବର ଏକ ଭଙ୍ଗାଛୁରି ବାହାର କରାଯାଇଛି। ସିଟିଭିଏସ୍ ବିଭାଗର ମୁଖ୍ୟ ଆସୋସିଏଟ୍ ପ୍ରଫେସର୍ ଡା.ସାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ପ୍ରାୟ ୩ ଘଣ୍ଟା କାଳ ପରିଶ୍ରମ କରି କବିସୂର୍ଯ୍ୟନଗରର ସନ୍ତୋଷ ଦାସ (୨୪)ଙ୍କ ଛାତିକୁ ଅସ୍ତ୍ରୋପଚାର କରି ଫୁସ୍ଫୁସ୍ ମଧ୍ୟରେ ଥିବା ଛୁରିକୁ ବାହାର କରିଥିଲେ। ଉକ୍ତ ଟିମ୍ରେ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା.ବେରିୟନ ସ୍ୱାଇଁ, ଏସ୍ଆର୍ ଡା.ପ୍ରଦୀପ୍ତ କୁମାର ସାହୁ, ନିଶ୍ଚେତକ ବିଭାଗର ଆସୋସିଏଟ୍ ପ୍ରଫେସର ଡା.ସଞ୍ଜୀବ ପାତ୍ର ଓ ନର୍ସିଂ ଅଫିସର ରହିଥିଲେ। ସନ୍ତୋଷ ଏବେ ଆଇସିୟୁରେ ରହିଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡା.ସାହୁ ପ୍ରକାଶ କରିଛନ୍ତି।
ତିନିବର୍ଷ ତଳେ ସନ୍ତୋଷ ବେଙ୍ଗାଲୁରୁରେ ରହୁଥିବା ବେଳେ ସେଠାରେ କିଛି ଲୋକଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ଜଣେ ଯୁବକ ସନ୍ତୋଷଙ୍କ ଛାତିର ବାମପାର୍ଶ୍ବକୁ ଛୁରିରେ ଆଘାତ ଦେଇଥିଲା। ସନ୍ତୋଷଙ୍କ ଚିକିତ୍ସା ହୋଇଥିଲେ ହେଁ ଛୁରିର କିଛି ଅଂଶ ଭାଙ୍ଗି ଛାତି ଭିତରେ ରହିଯାଇଥିବା ସେଠାକାର ଡାକ୍ତର ଜାଣି ପାରି ନଥିଲେ। ତେବେ ଛଅ ମାସ ପୂର୍ବେ ସନ୍ତୋଷଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବା ସହ ସେ ରକ୍ତବାନ୍ତି କରିଥିଲେ। ଏଥିପାଇଁ ପରିବାରବର୍ଗ ବିଭିନ୍ନ ଡାକ୍ତରଙ୍କ ପାଖକୁ ତାଙ୍କୁ ନେଇଥିଲେ। ଚଳିତମାସ ୧୯ ତାରିଖରେ ବ୍ରହ୍ମପୁର ବଡ଼ଡାକ୍ତରଖାନା ସିଟିଭିଏସ୍ ବିଭାଗରେ ସନ୍ତୋଷଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ୍ସରେ କରାଯିବା ପରେ ତାଙ୍କ ଛାତିର ଡାହାଣ ପାର୍ଶ୍ୱ ଫୁସ୍ଫୁସ୍ ମଧ୍ୟରେ ଏକ ଛୁରି ରହିଥିବା ଜଣାପଡ଼ିଥିଲା। ପରେ ସିଟିସ୍କାନ୍ ଓ ବ୍ରୋଙ୍କୋସ୍କୋପି କରି ମଙ୍ଗଳବାର ସନ୍ତୋଷଙ୍କ ଅସ୍ତ୍ରୋପଚାର କରାଯାଇ ଛୁରିକୁ ବାହାର କରାଯାଇଥିଲା।