ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ତଳସୁବର୍ଣ୍ଣଗିରି ଗ୍ରାମର ନାବାଳକ ଶ୍ରମିକ ଶକ୍ତି ପାଟଗୁରୁ(୧୬)ଙ୍କୁ ନୂଆ ଜୀବନ ମିଳିଛି। ବ୍ରହ୍ମପୁର ଏମ୍‌କେସିଜିର ଡାକ୍ତରୀ ଟିମ୍‌ ଏହି ନାବାଳକ ଶ୍ରମିକଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି।

Advertisment

ଗତକାଲି ଏକ ଭଙ୍ଗା ଘର କାମ ଚାଲିଥିବା ବେଳେ ଶାବଳ ତାଙ୍କ ମଳଦ୍ବାରରେ ପଶିଯାଇଥିଲା। ଗୁରୁତର ଅବସ୍ଥାରେ ଶକ୍ତିଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତରୀ ଟିମ୍‌ ଶକ୍ତିଙ୍କ ଜୀବନ ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ। ଶକ୍ତିଙ୍କ ଏକ୍ସରେ କରାଯିବା ପରେ ଶାବଳଟି କେତେଦୂର ଶରୀର ଭିତରେ ପ୍ରବେଶ କରିଛି, କେଉଁ ସ୍ଥାନକୁ କ୍ଷତ କରିଛି ଆଦି ଚିହ୍ନଟ କରିବା ପରେ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଆଇ.ଗୋପାଳଙ୍କ ନେତୃତ୍ବରେ ତୁରନ୍ତ ଗଠନ ହୋଇଥିଲା ଏକ ଟିମ୍‌। ସର୍ଜରି ବିଭାଗର ୫ଜଣ ଡାକ୍ତର ଏବଂ ନିଶ୍ଚେତକ ବିଭାଗର ୫ ଜଣ ଡାକ୍ତରଙ୍କୁ ନେଇ ଗଠିତ ଟିମ୍‌ ଲାଗି ପଡ଼ିଥିଲେ ଅପରେସନ୍‌ କାର୍ଯ୍ୟରେ। ଦୀର୍ଘ ୫ ଘଣ୍ଟାର ଅପରେସନ୍‌ ପରେ ସୁରକ୍ଷିତ ଭାବେ ଶକ୍ତିଙ୍କ ଶରୀରରେ ପଶିଥିବା ଶାବଳକୁ ବାହାର କରାଯାଇଥିଲା। ଡାକ୍ତରୀ ଟିମ୍‌ଙ୍କ ଏଭଳି ବିରଳ ଅପରେସନ୍‌କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

publive-image

ଅପରେସନ୍‌ର ନେତୃତ୍ବ ନେଇଥିବା ଡା.ଗୋପାଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଶାବଳଟି ଶକ୍ତିଙ୍କ ଶରୀରରେ ପ୍ରାୟ ଦେଢ଼ ଫୁଟ ପଶିଯାଇଥିବା ବେଳେ ସୁରକ୍ଷିତ ଭାବେ ବାହାର କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ୍ ସଦୃଶ ଥିଲା। ଶାବଳଟି ସୌଭାଗ୍ୟବଶତଃ ମେରୁଦଣ୍ଡ କିମ୍ବା ପଞ୍ଜିରା ହାଡ଼କୁ ସ୍ପର୍ଶ କରି ନଥିବା ବେଳେ ପେଲ୍‌ଭିସ୍‌ ହାଡ଼ ଭାଂଗିଯାଇଥିଲା। ଯଦି ଶାବଳଟି ମେରୁଦଣ୍ଡ କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ସ୍ପର୍ଶ କରିଥାନ୍ତା ତେବେ ଶକ୍ତିଙ୍କ ଅବସ୍ଥା ଯେ କଣ ହୋଇଥାନ୍ତା ତାହା କହିବା ମୁସ୍କିଲ୍‌ ବୋଲି କହିଛନ୍ତି। ବର୍ତ୍ତମାନ ଶକ୍ତି ଆଇସିୟୁରେ ରହିଥିବା ବେଳେ ସେ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି ଡା.ଗୋପାଳ କହିଛନ୍ତି। ଶାବଳଟି ପଶିବା ଫଳରେ ଶରୀରର ଯେଉଁ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି କିମ୍ବା ହାଡ଼ ଭାଂଗିଛି ସେଥିନେଇ ଚିକିତ୍ସା କରାଯିବ। ପରବର୍ତ୍ତୀ ସମୟରେ ପୁଣି ଏକ ଛୋଟିଆ ଅପରେସନ୍‌ କରାଯାଇପାରେ ବୋଲି ଡା. ଗୋପାଳ ସୂଚନା ଦେଇଛନ୍ତି।

ଡା.ଗୋପାଳଙ୍କ ନେତୃତ୍ବରେ ହୋଇଥିବା ଏହି ବିରଳ ଅପରେସନ୍‌ରେ ଡା.ସୌମ୍ୟରଂଜନ ଜେନା, ଡା.ଯସ୍ମିନ୍‌ କୁମାର ପାଣିଗ୍ରାହୀ, ଡା. ବିଭୂପ୍ରସାଦ ମହାପାତ୍ର, ଡା.ଆଲୋକ ଦାସଙ୍କ ସହ ନିଶ୍ଚେତକ ବିଭାଗର ଆସୋସିଏଟ୍‌ ପ୍ରଫେସର ଡା.ସଂଜୀବ ପାତ୍ର, ଡା.ମାନସ କୁମାର ନାହାକ, ଡା.ଶୁଭଶ୍ରୀ ରଥ, ଡା. ସରୋଜ ଦାସ ଓ ଡା.ଗୌତମ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।