ବିରଳ ପ୍ରତିଭା: ଦୁଇହାତରେ ବିଭିନ୍ନ ଭାଷାରେ ଲେଖିପାରନ୍ତି ଜଟଣୀର ମୁସକାନ୍ ବେହେସିନ

ଜଟଣୀ : ମହାଭାରତର ଅର୍ଜୁନଙ୍କୁ ସବ୍ୟସାଚୀ କୁହାଯାଏ କାରଣ ସେ ଉଭୟ ହସ୍ତରେ ଧନୁତୀର ଚଳାଇବାରେ ଦକ୍ଷ ଥିଲେ। ଯଦି ସମଗ୍ର ପୃଥିବୀର ଲୋକ ସଂଖ୍ୟା ୮୦୦ କୋଟି ତେବେ ଏହାର ୧ ପ୍ରତିଶତ ଲୋକ ଅର୍ଥାତ୍ ୮ କୋଟି ଲୋକ ଏଭଳି ‘ଏମ୍ବିଡେକ୍ସଟ୍ରସ’ ବା ଉଭୟହସ୍ତ ଅଟନ୍ତି। ଏହି ଦୃଷ୍ଟିରୁ ଯଦି ଓଡ଼ିଶାର ଜନସଂଖ୍ୟା ସାଢେ଼ ୪ କୋଟି ତେବେ ୪ଲକ୍ଷ ୫୦ହଜାର ଲୋକ ଏହି ବିରଳ ଜନ୍ମଗତ ପ୍ରତିଭାଧାରୀ ଅଟନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀର ମୁସକାନ୍ ବେହେସିନ ଏଭଳି ଏକ ପ୍ରତିଭାର ଅଧିକାରିଣୀ ଅଟନ୍ତି। ସେ ନିଜର ଏହି ପ୍ରତିଭା କୌଣସି ଗୋଟିଏ ଭାଷାରେ ସୀମିତ ରଖିନାହାନ୍ତି, ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁ ଭାଷାରେ ମଧ୍ୟ ଅନୁରୂପ ସୁନ୍ଦର ଭାବେ ଅତି ସାବଲୀଳ ଭାବେ ଲେଖିପାରନ୍ତି। କେବେଳ ସେତିକି ନୁହେଁ, ସେ ଏମିତି ବି ଲେଖିପାରନ୍ତି, ଯେ ଆଖିକୁ ଓଲଟା ଦେଖାଯାଉଥିଲେ ମଧ୍ୟ ଦର୍ପଣ‌ରେ ଦେଖିଲେ ଜଣେ ଏହାକୁ ସାଧାସଳଖ ପଢ଼ିପାରିବ।

ଜଟଣୀ ତରାବୋଇରେ ରହୁଥିବା ସେକ୍ ସମ୍‌ସେର ଓ ସୁର୍କିଦା ବାନୋଙ୍କ ଝିଅ ମୁସକାନ୍। ବର୍ତ୍ତମାନ ସେ ପ୍ରାଣନାଥ କଲେଜରେ ପଦାର୍ଥ ବିଜ୍ଞାନରେ ଯୁକ୍ତ ତିନି ଛାତ୍ରୀ। ଛୋଟ ପିଲାବେଳୁ ଉଭୟ ହସ୍ତରେ କାମ କରିବା ଓ ଲେଖିବାର ଗୁଣ ବିକଶିତ ହୋଇଥିଲା। କିନ୍ତୁ ତାଙ୍କ ମା’ ଏହାଦ୍ବାରା ପିଲାର ବିକାଶ ଓ ପାଠପଡ଼ାରେ ସମସ୍ୟା ହେବ ବୋଲି ଏକ ଭ୍ରାନ୍ତଧାରଣାରେ ଏହି ପ୍ରତିଭାକୁ ଆକଟ କରି ବନ୍ଦ କରିଦେଇଥିଲେ। କିନ୍ତୁ ଯେତେବେଳେ ସେ କଲେଜରେ ପଢ଼ିଲେ ପୁଣି ଏହି ପ୍ରତିଭା ପ୍ରତି ମୁସକାନଙ୍କର ସ୍ବଭାବତଃ ଆଗ୍ରହ ସୃଷ୍ଟି ହେଲା। ଧୀରେ ଧୀରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଓ ଉର୍ଦ୍ଦୁ ଭାଷାରେ ଉଭୟ ହାତରେ ଲେଖିବା ଆରମ୍ଭ କଲେ। ତାଙ୍କର ଏହି ପ୍ରତିଭା ପାଇଁ ମୁସ୍‌କାନ୍‌ ଏବେ ନିଜ ଗାଁଠାରୁ କଲେଜ ଯାଏ ଚର୍ଚ୍ଚାରେ ରହିଛନ୍ତି।

ତାଙ୍କ ବାପା ସେକ୍ ସମସେର ଜଣେ ଘରୋଇ ଠିକା କର୍ମଚାରୀ ହେଲେ ହେଁ ନିଜ ସମ୍ପ୍ରଦାୟର ସାମାଜିକ କଟକଣା, ଆର୍ଥିକ ଅନଟନ ଆଦିକୁ ପଛରେ ପକାଇ ଝିଅର ପ୍ରତିଭାକୁ ସ୍ବୀକୃତି ଦେଇ ଏହାର ବିକାଶ ପାଇଁ ଉଦ୍ୟମ କରିଥିଲେ। କେବଳ ଏତିକି ନୁହେଁ ଝିଅକୁ ଉଚ୍ଚ ଶିକ୍ଷା ଦେବାରେ କୌଣସି ହେଳା କରିନଥିଲେ। ମୁସକାନ୍ ମଧ୍ୟ ନିଜ ଭବିଷ୍ୟତ ପ୍ରତି ଯଥେଷ୍ଟ ସଚେତନ ଓ ବାପାଙ୍କ ତ୍ୟାଗକୁ ଉଚିତ୍‌ ସମ୍ମାନ ଦେଇଛନ୍ତି। ପାଠପଢ଼ା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଛି। ପ୍ରତିଦିନ ୧୫ କିଲୋମିଟର ସାଇକେଲ୍‌ରେ କଲେଜ ଓ କୋଚିଂ ଯାଇ ଘରକୁ ଫେରନ୍ତି। ସେ ନିଜର ଏହି ପ୍ରତିଭା ସମ୍ପର୍କରେ କହନ୍ତି, ଏହି ପ୍ରତିଭାକୁ ନେଇ ସେ ବିଶ୍ବଦରବାରରେ ପହଞ୍ଚାଇବାକୁ ଚାହାନ୍ତି। ଇଣ୍ତିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେବାକୁ ଚେଷ୍ଟା କରୁଛନ୍ତି। ନିଜର ଭବିଷ୍ୟତ ସମ୍ପର୍କରେ ସେ କହିଛନ୍ତି ଯେ, ଭାରତୀୟ କିମ୍ବା ରାଜ୍ୟ ଲୋକସେବା ଆୟୋଗର ଅଧିକାରୀ ହେବା ପାଇଁ ତାଙ୍କର ଇଚ୍ଛା ରହିଛି। ଏହାଦ୍ବାରା ସେ ଦେଶର ଓ ରାଜ୍ୟର ଲୋକଙ୍କୁ ସହାୟତା ଦେଇପାରିବେ। କିନ୍ତୁ ତାଙ୍କର ଆର୍ଥିକ ଅନଟନ ଯୋଗୁ ସେ କୌଣସି ଭଲ ଅନୁଷ୍ଠାନରେ କୋଚିଂ ନେଇପାରୁନାହାନ୍ତି।

ସମ୍ବନ୍ଧିତ ଖବର