ଭଞ୍ଜନଗର: ଓଡ଼ିଶାର ପ୍ରତିଟି ପର୍ବ ପର୍ବାଣୀରେ ରହିଥାଏ ସ୍ବତନ୍ତ୍ର ମହକ। ଓଡ଼ିଆ ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ମାସକୁ ଧର୍ମ ମାସ ଭାବେ ବିବେଚନା କରାଯାଏ। ଏଥି ନିମନ୍ତେ ବିଭିନ୍ନ ମନ୍ଦିର ଗୁଡ଼ିକରେ ମାସ ତମାମ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ପ୍ରବଚନ ଓ ନାମ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥାଏ। କାର୍ତ୍ତକ ମାସରେ ଆକାଶ ଦୀପ ଲଗାଇବା ଏକ ନିଆରା ପରମ୍ପରା ଭାବରେ ଆଜି ମଧ୍ୟ ଉଜ୍ଜିବତ ହୋଇ ରହିଛି। ବିଶେଷ କରି ଏହି ମାସରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ଏହି ପରମ୍ପରା ପାଳନ କରାଯାଉଥିବା ଦେଖିବାକୁ ମିଳେ। ବିଶେଷ କରି ମନ୍ଦିର ସାମ୍ନାରେ ବୃନ୍ଦାବତୀ କିମ୍ବା ତୁଳସୀ ଚଉଁରା ସାମ୍ନାରେ ଏହି ଦୀପ ଜଳା ଯାଇଥାଏ। ଏଥିପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଅନେକ ଏହି ଆକାଶ ଦୀପ ଜଳାଇବାର ଉଦ୍ଦେଶ୍ୟ ଜାଣି ନଥିଲେ ମଧ୍ୟ ଧର୍ମ ମାସରେ କିଛି ପୂଣ୍ୟ ଅର୍ଜନ କରିବା ପାଇଁ ପରିବାର ସଦସ୍ୟଙ୍କ ସହ ମିଶି ଏହା ପାଳନ କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି।

Advertisment

ବିଶେଷ କରି ପ୍ରତିଦିନ ସଂନ୍ଧ୍ୟା ସମୟରେ ମହିଳାମାନେ ଏକଜୁଟ ହୋଇ ଏହି ଦୀପ ଜଳାଇଥାନ୍ତି। କାର୍ତ୍ତକ ମାସର ଆରମ୍ଭରୁ ମହିଳାମାନେ ଏକ ମାଟି ହାଣ୍ଡିକୁ ବିଭିନ୍ନ ଦିଗରୁ କଣା କରିବା ସହ ଏହା ଭିତରେ ଏକ ଦୀପ ଜାଳି ଶିକା ଏବଂ ଲମ୍ବା ରଶି ସାହାଯ୍ୟରେ ବାଉଁଶ ପୋତି ଉପରକୁ ଉଠାଇ ଥାନ୍ତି। ଆଉ ଏହାରି ତଳେ ବୃନ୍ଦାବତୀଙ୍କୁ ପୂଜା କରିବା ସହ ନାମ କରିଥାନ୍ତି। ଏହି ଦୀପ ବିଳମ୍ବିତ ରାତି ପର୍ଯ୍ୟନ୍ତି ଜଳୁଥିବା ବେଳେ ଦୂରରୁ ଆକାଶର ତାରା ଭଳି ପ୍ରତିୟମାନ ହୋଇଥାଏ। କେଉଁ ଆଦିମ କାଳରୁ ଏହାକୁ ପାଳନ ହୋଇ ଆସୁଥିବା ବ‌େଳେ ଆଜି ମଧ୍ୟ ଏହି ପରମ୍ପରାର ମହତ୍ତ୍ବ ବେଶ ରହିଛି। ବୁଦ୍ଧିଜୀବୀଙ୍କ କହିବାନୁଯାୟୀ ପୂର୍ବକାଳରେ ନୌବାଣିଜ୍ୟ କ୍ଷେତ୍ରରେ ଏହା ସଂଙ୍କେତ ଭାବେ ପ୍ରଚଳିତ ହେଉଥିବା ଜଣାଯାଏ। ସାଧବ ପୁଅ ମାନେ ବୋଇତ ବା ଡଙ୍ଗା ସାହାର୍ଯ୍ୟରେ ବିଦଶେକୁ ‌ବ୍ୟାପାର ବାଣିଜ୍ୟ କରିବା ପାଇଁ ଯାଇ କାର୍ତ୍ତିକ ମାସ ସମୟରେ ଜଳପଥରେ ଫେରୁଥିଲେ। ସେହି ସମୟରେ ସମୁଦ୍ର କୂଳରେ ବତୀଘର ନଥିବାରୁ ମାସ ମାସ ଧରି  ଏଭଳି ଆକାଶ ଦୀପ ଲଗାଇ ସେମାନଙ୍କ ଫେରିବା ବାଟକୁ ଅପେକ୍ଷା କରାଯାଉଥିଲା। ଆଉ ଏହି ଆକାଶ ଦୀପକୁ ଦେଖି ସେମାନ‌େ ଦିଗ ନିର୍ଣ୍ଣୟ କରି ଫେରୁଥିବା ଅନୁମାନ କରାଯାଏ।

publive-image

ଏଥସହ ଭଗବାନ ଶ୍ରୀକୃଷ୍ଣଙ୍କ ‌ଉଦ୍ଦେଶ୍ୟରେ ଏଭଳି ଦୀପଦାନ କରାଯାଉଥିବା କିଛି ପୂଜକ ପ୍ରକାଶ କରିଥିବା ‌ବ‌େଳେ ଆକାଶ ଦେବଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ଜ୍ବଳନ କରି ପିତୃଲୋକଙ୍କୁ ସ୍ମରଣ କରିବା ପାଇଁ ମଧ୍ୟ ଏଭଳି ଦୀପ ଜଳାଉଥିବା କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି। ପ୍ରାୟ ସବୁ ଗ୍ରାମରେ ଏଭଳି ଆକାଶ ଦୀପ ଦେଖିବାକୁ ମିଳୁଥିବା ବେଳେ ସଂପ୍ରତି ଆଧୁନିକତା ଛାପରେ ଧୀରେ ଧୀରେ ଆକାଶ ଦୀପ ସଂଖ୍ୟ ହ୍ରାସ ପାଇବାକୁ ଲାଗିଲାଣି। ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ମନ୍ଦିର କିମ୍ବା ବୃନ୍ଦାବତୀ ନିକଟରେ ଏଭଳି ଦୀପ ଲଗାଇବା ପରମ୍ପରାକୁ ଭବିଷ୍ୟତ ପୀଢ଼ି ଯଦି ବର୍ତ୍ତମାନ ଠାରୁ ନ ଆପଣାଏ ତେବେ ଆଗାମୀ ଭବିଷ୍ୟତରେ ଏହି ପରମ୍ପରା ମଧ୍ୟ ଲୋପ ପାଇବାକୁ ବସିବ ବୋଲି ବରିଷ୍ଠ ବ୍ୟକ୍ତିମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।