ରାଜନଗର: ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ଉଦ୍ଦୀପନାର ସହ ଶେଷ ହୋଇଛି। ରାଜନଗର ଦେବୀ ଘରେ ମା' ଦୁର୍ଗାଙ୍କର ଗତକାଲି ଜୟା, ବିଜୟା ଓ ଅପରାଜିତା ପୂଜା ସହିତ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ସମୂହ ପୁଷ୍ପାଞ୍ଜଳି ସହିତ ମା'ଙ୍କର ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ଆଜି ମା'ଙ୍କୁ ହଂସୁଆ ନଦୀରେ ମେଲାଣି ଦିଆଯାଇଛି। ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମା ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇ ଥିଲେ। ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା' ବସି ସାତ ଘେରା ଚାପ ଖେଳିବା ପରେ ମେଲାଣି ନେଇଥିଲେ।
ମା' ଦୁର୍ଗାଙ୍କ ସହିତ ଗଳିଦାଣ୍ତର ବନଦୁର୍ଗା, ସାନବଡଗୋପାଳପୁରର ମା'ଶାରଳା, ମାଛ ମାକେର୍ଟର ମା'ଗଙ୍ଗାମାତା ଓ ପୁରୁଣା ବଜାରର ହରଗୌରୀ, ଘାଟଗଳିର ସାଇବାବାଙ୍କ ମୃଣ୍ମୟ ମୂର୍ତିକୁ ସୁସଜ୍ଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯାଇଛି। ସାରା ଓଡିଶାରେ ବିରଳ ଏହି ଜଳପଥରେ ଭସାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା। ନଈ ମଧ୍ୟରେ ଭଜନ କୀର୍ତନ ପାରମ୍ପାରିକ ବାଦ୍ୟ ସହିତ ମା' ଓ ଦେବାଦେବୀଙ୍କୁ ମେଲାଣି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଦୀର୍ଘ ୧ କିଲୋମିଟର ବ୍ୟାପି ନଈ ମଧ୍ୟରେ ୭ଘେରା ଚାପ ଖେଳିବା ପରେ ମା'ଙ୍କୁ ମେଲାଣି ଦିଆଯାଇଥିଲା।