ରରୁଆଁ : ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ତହସିଲ କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନ ୧୧.୩୦ରେ ବାରିପଦା, ବାଲେଶ୍ବର ଏବଂ କେନ୍ଦୁଝରର ଭିଜିଲାନ୍ସ ଟିମ୍ ଚଢ଼ଉ କରି ଲାଞ୍ଚ ନେଉଥିବା ବେଳେ ତହସିଲଦାର ସତ୍ୟସୁନ୍ଦର ରାଉତ ଏବଂ ଅମିନ କମଳଲୋଚନ ପାତ୍ରଙ୍କୁ ଗିରଫ କରି ବାରିପଦା ନେଇ ଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରରୁଆଁ ତହସିଲ ଅଧୀନ ଭଞ୍ଜକିଆ ଗ୍ରାମର ଚକ୍ରଧର ମହାନ୍ତଙ୍କ ଡାହି(୨) ଜମିକୁ ଘରଡ଼ିହ କିସମରେ ପରିବର୍ତ୍ତନ ପାଇଁ ତହସିଲଦାରଙ୍କୁ ୪୦ ହଜାର ଟଙ୍କା ଦେବା ପାଇଁ କଥାବାର୍ତ୍ତା ହୋଇଥିଲା। ପୂର୍ବରୁ ୨୫ ହଜାର ଟଙ୍କା ଦିଆ ଯାଇଥିବା ବେଳେ ଆଜି ଆଉ ୧୫ ହଜାର ଟଙ୍କା ଅମିନ କମଳଲୋଚନ ପାତ୍ରଙ୍କ ଜରିଆରେ ତହସିଲଦାର ସତ୍ୟସୁନ୍ଦର ରାଉତ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ତହସିଲଦାର ଓ ଅମିନଙ୍କୁ ମାଡ଼ି ବସିଥିଲା। ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍ରେ ଅତିରିକ୍ତ ଏସ୍ପି ମହେଶ୍ବର ସେଠୀ, ଡିଏସ୍ପି ଦାକ୍ଷିଣ ଚନ୍ଦ୍ର ମୁର୍ମୁ, ଜୟନ୍ତୀ ଦଳେଇ, ହେମାମାଳିନୀ ନାୟକ, ଦୈତାରୀ ଘଡେ଼ଇଙ୍କ ସହିତ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଏ ସଂପର୍କରେ ବାରିପଦା ଭିଜିଲାନ୍ସ ଥାନାରେ ୧୯/୨୨ ରେ ଏକ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଭିଜିଲାନ୍ସ ଟିମ୍ ତହସିଲଦାରଙ୍କ ଯାଜପୁରସ୍ଥିତ ବାସଭବନ, ଭୁବନେଶ୍ବରରେ ୨ଟି ସ୍ଥାନରେ ଥିବା ଘର ଏବଂ କରଞ୍ଜିଆର ଭଡ଼ାଘର ସମେତ ରରୁଆଁ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛି। ସେହିପରି ଅମିନ କମଳଲୋଚନଙ୍କ ରରୁଆଁସ୍ଥିତ ବାସଭବନରେ ମଧ୍ୟ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/raruan-tasasildar-v.jpg)