ପୁରୀ: ରଥରେ ଭଉଣୀକୁ ନେଲେ। ଅଥଚ ମହାଲକ୍ଷ୍ମୀଙ୍କୁ ନନେଇ ଜନ୍ମବେଦିକୁ ଚାଲିଗଲେ ମହାପ୍ରଭୁ। ଏଯାଏଁ ରୋଷ କରିଥିଲେ ମହାଲକ୍ଷ୍ମୀ। ନିଃସଙ୍ଗତା ଭିତରେ ଦେବୀ ଯେ କୋପ କରିଥିଲେ ଏକଥା ମହାପ୍ରଭୁଙ୍କର ସଂଶୟ ନଥିଲା। ତେଣୁ ପତ୍ନୀ ତଥା ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତୋଷ କରିଛନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମାନ ଅଭିମାନର ଏହି ରସପୂର୍ଣ୍ଣ ଅବତାରଣା ଦେଖିଲେ ହଜାର ହଜାର ଭକ୍ତ। ପୁଣି ମାନଭଂଜନ ସହ ଯୋଡ଼ି ହୋଇ ରହିଛି ‘ରସଗୋଲା’। ମାନ ଭଞ୍ଜିବା ପାଇଁ ରସଗୋଲା ଯେ ଏକ ଉତ୍କୃଷ୍ଟ ଉପାୟ, ମହାପ୍ରଭୁ ଏହା ଭକ୍ତମାନଙ୍କ ଲାଗି ଯୁଗଯୁଗକୁ ଇସାରା ଦେଇ ଆସିଛନ୍ତି।
କଥାକଥାରେ କିଛି ସେବକ କୁହନ୍ତି, ମହାପ୍ରଭୁ କାଳେ ବଡ଼ଖିଆ ସାଆନ୍ତ। ଛପନ ପଉଟି ଭୋଗ ତାଙ୍କ ପାଇଁ ଖଞ୍ଜା। ଅଥଚ ଶ୍ରୀମନ୍ଦିର ମଧ୍ୟରେ ବର୍ଷକରେ ଥରେ ମାତ୍ର ରସଗୋଲା ଭୋଗ ହେବାର ପରମ୍ପରା ରହିଛି। କୌତୁହଳର କଥା ହେଉଛି ଏହି ରସ କେଳି ଭୋଗର ସେତିକିବେଳେ ଆବଶ୍ୟକତା ପଡ଼ିଛି, ଯେତେବେଳେ ମହାଲକ୍ଷ୍ମୀ କୋପ କରିଛନ୍ତି। ମାନବୀୟ ଲୀଳା ସଂରଚନା କରୁଥିବା କୋଟି କୈବଲ୍ୟନାଥ ମହାପ୍ରଭୁଙ୍କ ଏହି ପରମ୍ପରା ୭ଶହ ବର୍ଷର ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି। ଏପରିକି ପଞ୍ଚଦଶ ଶତାବ୍ଦୀର ଶେଷ ଓ ଷୋଡ଼ଶ ଶତାବ୍ଦୀରେ ରଚିତ ଦାଣ୍ଡି ରାମାୟଣରେ ମଧ୍ୟ ରସଗୋଲା ସମ୍ପର୍କରେ ଉଲ୍ଲେଖ ରହିଛି। ନୀଳାଦ୍ରି ବିଜେରେ ମହାପ୍ରଭୁଙ୍କୁ ସିଂହଦ୍ବାର କିଳିଥିଲେ। ଜୟ ବିଜୟ ଦ୍ବାର ନିକଟରେ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ବଚନିକା ହୋଇଥିଲା। ଲକ୍ଷ୍ମୀ ନାରାୟଣ କଳି ରସଗୋଲାରେ ଶାନ୍ତ ହୋଇଥିଲା। ଦେବତାଙ୍କ ମାନବୀୟ ଲୀଳାର ଅବତାରଣା ଅନନ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/09/dgdxxcxcxc-2025-07-09-02-34-44.jpg)