୧୯ରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ରସଗୋଲା ସମ୍ମିଳନୀ

ଜିଆଇ ମାନ୍ୟତା ପରେ କ’ଣ ସୁବିଧା ମିଳିବ ସରକାର ଜଣାନ୍ତୁ

ସବୁ ଜିଲ୍ଲାରେ ମିଠା ହବ୍ ପାଇଁ ସମିତିର ଦାବି
ଛେନା ଝିଲ୍ଲି, ଛେନାପୋଡ଼, ରସାବଳୀ ଓ ଆରିସାକୁ ମିଳୁ ଜିଆଇ ମାନ୍ୟତା
ସମ୍ମିଳନୀରେ ୫୦ହଜାର ରସଗୋଲା ବାଣ୍ଟିବ ସମିତି

ଭୁବନେଶ୍ବର : ଗତମାସ ୨୯ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଛି। ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ସହିତ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଏଥିପାଇଁ ଆବେଦନ କରିଥିଲେ। ତେବେ ଏହି ଜିଆଇ ମାନ୍ୟତା ମିଳିବା ପରେ ରସଗୋଲାପ୍ରେମୀଙ୍କ ସହିତ ବ୍ୟବସାୟୀଙ୍କ କ’ଣ ଲାଭ ମିଳିବ ଓ କିଭଳି ଢଙ୍ଗରେ ଏହା ବିଶ୍ବସ୍ତରରେ ପହଞ୍ଚିବ ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି ସମିତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ବ୍ୟବସାୟୀମାନେ କିଭଳି ଆଗକୁ ବଢ଼ିବେ ତାହାକୁ ନେଇ ରାଜ୍ୟ ସରକାରଙ୍କଠାରୁ ଏକପ୍ରକାର ସ୍ପଷ୍ଟୀକରଣ ମାଗିଛନ୍ତି। ଏହି ଉପଲକ୍ଷେ ସମିତି ଆସନ୍ତା ୧୯ତାରିଖରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରୁଥିବା ସୂଚନା ଦେଇଛି।

ଆଜି ହୋଟେଲ ଏମ୍ପାୟାର୍ସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସଭାପତି ବିମ୍ବାଧର ବେହେରା କହିଲେ, ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ଦେବା କ୍ଷେତ୍ରରେ ସମିତି ରାଜ୍ୟ ସରକାରଙ୍କ ସହିତ ସହଯୋଗର ହାତ ବଢ଼ାଇଥିଲା। ତେବେ ଜିଆଇ ମାନ୍ୟତା ମିଳିବା ପରେ କ୍ଷୀର, ଛେନା ଯୋଗାଉଥିବା ଚାଷୀଙ୍କ ସହିତ ହଜାର ହଜାର ମିଠା ବ୍ୟବସାୟୀ କିପ୍ରକାର ସୁବିଧା ସୁଯୋଗ ପାଇବେ ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଆବଶ୍ୟକ। ରାଜ୍ୟର ମିଠା ବ୍ୟବସାୟୀ ଦିନକୁ ଲକ୍ଷ ଲକ୍ଷ ଲିଟର କ୍ଷୀର ବ୍ୟବହାର କରୁଛନ୍ତି ଯାହାକି ଓମ୍‌ଫେଡ୍‌ ସଂଗ୍ରହ କରୁଥିବା ପରିମାଣଠାରୁ ଅଧିକ। ତେଣୁ କ୍ଷୀରର ଦରଦାମ୍ ବୃଦ୍ଧି ସମୟରେ ସରକାର ଗଠନ କରୁଥିବା କମିଟିରେ ସମିତିର କର୍ମକର୍ତାଙ୍କୁ ସାମିଲ କରାଯାଉ।

ସେହିପରି ଶତ ପ୍ରତିଶତ ଆମଦାନୀ ରପ୍ତାନୀ ୟୁନିଟ୍ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉ। କେବଳ ରସଗୋଲାରେ ଅଟକି ନ ଯାଇ ଛେନା ଝିଲ୍ଲି, ଛେନାପୋଡ଼, ରସାବଳୀ ଓ ଆରିସାକୁ ମଧ୍ୟ ଜିଆଇ ମାନ୍ୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉ। ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମିଠା ହବ୍ ପ୍ରତିଷ୍ଠା ହୋଇଛି। ଗୋଟିଏ ଛାତ ତଳେ ଲୋକମାନେ ଏକାଧିକ ପ୍ରକାରର ମିଠାର ସ୍ବାଦ ଚାଖି ପାରୁଛନ୍ତି। ସେହିଭଳି ରାଜ୍ୟର ସମସ୍ତ ଜିଲ୍ଲାରେ ମିଠା ହବ୍ ପ୍ରତିଷ୍ଠା କରାଯାଉ। ଏହାସହ ରାଜଧାନୀରେ ସମିତିର ସୁପରିଚାଳନା ପାଇଁ ଏକ ସରକାରୀ ବାସଗୃହ ଯୋଗାଇ ଦିଆଯାଉ। ୧୯ରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ଯୋଗ ଦେବେ ଓ ୫୦ ହଜାର ରସଗୋଲା ମାଗଣାରେ ବଣ୍ଟନ କରାଯିବ ବୋଲି ଶ୍ରୀ ‌ବେହେରା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ସଂପାଦକ ସୁଜିତ ପୋଦ୍ଦାର ଓ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର