ଦାଦନ ଯିବାକୁ ବନ୍ଧାପଡ଼ିଛି ରାସନ କାର୍ଡ, ମିଳୁନି ମନ୍‌ରେଗା କାମ

୨୦୦୦ ଟଙ୍କାରେ ରାସନ କାର୍ଡ ବନ୍ଧାପକାଇ ତାମିଲନାଡ଼ୁ ଗଲେ କଳାହାଣ୍ଡିର ଧର୍ମାନନ୍ଦ, ବାବୁଙ୍କ ବିରୋଧରେ ୨ ଲକ୍ଷରୁ ଅଧିକ ହଡ଼ପ ଟଙ୍କାଗଡ଼ୁଛି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମିଳୁନି କାମ। ଅଭାବଗ୍ରସ୍ତ ଲୋକେ କାମ ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜୁନାଗଡ଼ ବ୍ଲକ ମିଚାଗାଁର ଧର୍ମାନନ୍ଦ ଦୁର୍ଗା ନିଜ ରାସନ କାର୍ଡକୁ ୨ ହଜା​ର ଟଙ୍କାରେ ବନ୍ଧାପକାଇ ତାମିଲନାଡ଼ୁକୁ ଦାଦନ ଖଟିଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟିକରିଛି। ଅନ୍ୟପକ୍ଷରେ ଲୋକଙ୍କୁ କାମ ଯୋଗାଉଥିବା ମନରେଗା ଯୋଜନାର ୬ ଲକ୍ଷରୁ ଅଧିକ ଟଙ୍କା ସରକାରୀ ବାବୁମାନେ ହଡ଼ପ କରିଥିବା ବେଳେ ଏଥି ମଧ୍ୟରୁ ୨ ଲକ୍ଷରୁ ଅଧିକ ଟଙ୍କା ଏବେ ମଧ୍ୟ ସେମାନଙ୍କ ନାମରେ ଗଡ଼ୁଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଆଟିଗାଁ ପଞ୍ଚାୟତ ମିଚାଗାଁର ଧର୍ମାନନ୍ଦ ଦୁର୍ଗା କାମଧନ୍ଦା ପାଉ ନଥିବା ଯୋଗୁ ସେ ୨ ହଜାର ଟଙ୍କାରେ ନିଜ ରାସନକାର୍ଡ ବନ୍ଧା ପକାଇ ତାମିଲନାଡ଼ୁ ତିରୁପୁରରେ ଦାଦନ ଖଟିବା ପାଇଁ ଯାଇଛନ୍ତି। ତାଙ୍କ ସହ ପତ୍ନୀ ନମିତା ଓ ଛୋଟ ପୁଅ ମଧ୍ୟ ଯାଇଛନ୍ତି। ଜବକାର୍ଡ କିମ୍ବା ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କୁ ମିଳୁ ନଥିବା ବେଳେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଧର୍ମାନନ୍ଦଙ୍କ ପତ୍ନୀ ନମିତା ଦୁର୍ଗା ଗତ ପଞ୍ଚାୟତ ନିର୍ବାଚନରେ ଆଟିଗାଁ ପଞ୍ଚାୟତରେ ସରପଞ୍ଚ ପଦବି ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେତେବେଳେ ସେ ଚର୍ଚ୍ଚା ଘେରକୁ ଆସିଥିଲେ। ବର୍ତ୍ତମାନ ନିଜ ପରିବାର ପ୍ରତିପୋଷଣ ପାଇଁ ୨ ହଜାର ଟଙ୍କାରେ ରାସନକାର୍ଡ ବନ୍ଧା ପକାଇ ତାମିଲନାଡ଼ୁ ଦାଦନ ଖଟିଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ଲୋକଙ୍କୁ କାମ ଯୋଗାଇବା ପାଇଁ ମନରେଗା ଯୋଜନା ହୋଇଥିଲେ ମଧ୍ୟ ଏହି ଯୋଜନା ଏବେ ମୂଳ ଉଦ୍ଦେଶ୍ୟରୁ ବାଟବଣା ହେବାରେ ଲାଗିଛି। ଗତ ୩ ମାସ ଧରି ଜବ୍‌କାର୍ଡରେ କାମ କରିଥିବା ଶ୍ରମିକଙ୍କ ପ୍ରାପ୍ୟ ମିଳିପାରି ନାହିଁ। ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ସରକାରୀ ବାବୁମାନେ ୬ ଲକ୍ଷ ୩ ହଜାର ୩୨୫ ଟଙ୍କା ମନରେଗା ଅର୍ଥ ହଡ଼ପ କରିଥିବା ସୋସିଆଲ ଅଡିଟରେ ଗୁମର ଖୋଲିଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଖୋଳତାଡ଼ କରି ତୁରନ୍ତ ଟଙ୍କା ଭରଣା ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରି ଚିଠି କରାଯାଇଥିଲା। ଏହା ପରେ ସରକାରୀ ଅଧିକାରୀମାନେ ବିକଳ ହୋଇ କାର୍ଯ୍ୟାନୁଷ୍ଠାନ ଭୟରେ ଟଙ୍କା ଫେରସ୍ତ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ୨ ଲକ୍ଷ ୫ ହଜାର ୯୨୯ ଟଙ୍କା ଭରଣା ନହୋଇ ସରକାରୀ ବାବୁଙ୍କ ପାଖରେ ପଡ଼ିରହିଛି।

ବର୍ତ୍ତମାନ ମଧ୍ୟ ଭବାନୀପାଟଣା ସଦର ବ୍ଲକରେ ୨୨ ହଜାର ଟଙ୍କା, ଧର୍ମଗଡ଼ ବ୍ଲକରେ ୩୪ ହଜାର ୫୫୮ ଟଙ୍କା, ଜୁନାଗଡ଼ ବ୍ଲକରେ ୨୧ ହଜାର ୨୪୮ ଟଙ୍କା, କଲମପୁର ବ୍ଲକରେ ୨୩୫୮୦ ଟଙ୍କା, କର୍ଲାମୁଣ୍ଡା ବ୍ଲକରେ ୨୭ ହଜାର ୪୪୧ ଟଙ୍କା, କେସିଙ୍ଗା ବ୍ଲକରେ ୨୫ ହଜାର ୯୩୮ ଟଙ୍କା, କୋକସରା ବ୍ଲକରେ ୧୬ ହଜାର ଟଙ୍କା, ଲାଞ୍ଜିଗଡ଼ ବ୍ଲକରେ ୧୪ ହଜାର ଟଙ୍କା ବକେୟା ରହିଛି। ଜିଆର୍‌ଏସ୍‌, ପିଇଓ, ସରପଞ୍ଚ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଓ ବିଡିଓଙ୍କ ଦ୍ବାରା ମନରେଗା ଯୋଜନା ଟଙ୍କା ହଡ଼ପ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାରେ ଲୋକେ କାମ ନପାଇ ରାସନ କାର୍ଡ ବନ୍ଧାପକାଇ ଦାଦନ ଖଟିବାକୁ ଯାଉଥିବାବେଳେ ଅନ୍ୟପଟେ ସରକାରୀ ବାବୁମାନେ ମନରେଗା ଯୋଜନା ଅର୍ଥକୁ ବାଟମାରଣା କରି ପକେଟରେ ଭରୁଥିବା ଘଟଣା ସାଧାରଣରେ କ୍ଷୋଭ ସୃଷ୍ଟିକରିଛି। କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଯୋଗୁ ସରକାରୀ ବାବୁମାନେ ବେଧଡ଼କ ସରକାରୀ ଅର୍ଥକୁ ‌ଖୁଲମଖୁଲା ଲୁଟ୍‌ କରୁଥିବା ଆଲୋଚନା ହେଉଛି। ମନରେଗା ଯୋଜନା ପୋଖରୀ ଖୋଳାରେ ମୃତ୍ତିକା ସଂରକ୍ଷଣ ବିଭାଗ ଓ ବନ ବିଭାଗ ବ୍ୟାପକ ହରିଲୁଟ କରିଥିଲେ ମଧ୍ୟ ପ୍ରଶାସନ ନିରବ ସାଜିବା ଘଟଣା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

ସମ୍ବନ୍ଧିତ ଖବର