ଭୁବନେଶ୍ବର: ରସଗୋଲା ଆମର ବୋଲି ଗଳା ଫଟେଇ ଚିତ୍କାର କଲୁ। ଗବେଷକମାନେ ଲାଗିପଡ଼ି ତଥ୍ୟ ଦେଇ ଆମର ଦାବିକୁ ବଳିଷ୍ଠ ଓ ଯୁକ୍ତିଯୁକ୍ତ କଲେ। ଆମେ ଜିତିଲୁ ଓ ୨୦୧୯ରେ ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଲା। ସେତିକିରେ ସବୁ ଅଟକିଗଲା। ଜିଆଇ ଟ୍ୟାଗ୍ ପାଇ ରସଗୋଲାର କ’ଣ ଅଧିକ ହୋଇଗଲା ଓ ରସଗୋଲା ବ୍ୟବସାୟୀମାନେ କି ଫାଇଦା ପାଇଲେ, ତାହା ୫ ବର୍ଷ ପରେ ମଧ୍ୟ ଜଣାପଡ଼ୁନି। ‘ରସଗୋଲା ହବ୍’, ‘ରସଗୋଲା କ୍ଲଷ୍ଟର୍’ କେବଳ ଘୋଷଣାରେ ରହିଲା। ରସଗୋଲା ଜିଆଇ ମାନ୍ୟତା ପାଇବା ପରେ ଏହାର ବୈଧତା ୧୦ ବର୍ଷ ରହୁଥିବାରୁ ହାତରେ ଆଉ ୫ ବର୍ଷ ରହିଲା। ୨୦୨୯ ପୂର୍ବରୁ ଯଦି ଏଥିରେ ଆଖିଦୃଶିଆ କାମ ନହୁଏ ତେବେ ନବୀକରଣ ପାଇଁ ଆବେଦନ ବେଳେ ହୁଏତ ଏହି ଟ୍ୟାଗ୍ ସମ୍ପର୍କରେ ପୁନଃବିଚାର କରାଯାଇପାରେ। ଓଡ଼ିଶାର ଏହି ବେପରୱା ଆଭିମୁଖ୍ୟ ଯୋଗୁ ହାତକୁ ଆସିଥିବା ସଫଳତା ଉପରେ ପୁଣି ପ୍ରଶ୍ନବାଚୀ ଲାଗିବାର ଆଶଙ୍କା ଦେଖାଦେଇଛି।
ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଏହାର ପରିଚୟକୁ ବଳିଷ୍ଠ କରାଇବା ପାଇଁ ପାହାଳରେ ‘ରସଗୋଲା କ୍ଲଷ୍ଟର୍’ ନିର୍ମାଣ ହେବ ବୋଲି ସରକାର ଘୋଷଣା କରିଥିଲେ। ନିର୍ମାଣ ତ ଦୂରର କଥା, ଡିପିଆର୍ ବି ଏ ଯାଏ ପ୍ରସ୍ତୁତ ହୋଇ ନାହିଁ। କେବଳ ପାହାଳରେ କମନ୍ ଫେସିଲିଟି ସେଣ୍ଟର (ସିଏଫ୍ସି) ନିମନ୍ତେ ଦେଢ଼ ଏକର ଜାଗା ଯୋଗାଇ ଦେଇ ବସି ପଡ଼ିଛନ୍ତି ସରକାର। ଫଳରେ ରାଜ୍ୟ ତଥା ଦେଶ ବାହାରେ ଓଡ଼ିଶା ରସଗୋଲାକୁ ନୂଆ ପରିଚୟ ଦେବାକୁ ଚାହିଁ ବସିଥିବା ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡ଼ିଛି। ଏପଟେ କ୍ଲଷ୍ଟର୍ ପାଇଁ ଆବଶ୍ୟକୀୟ ତଥ୍ୟ ଧରି ପାହାଳ ରସଗୋଲା ଓ ଉଦ୍ୟୋଗକାରୀ ସମିତି ୫ ବର୍ଷ ହେଲା ବୁଲୁଥିଲେ ହେଁ ଏହାକୁ ତିଆରି କରିବା ପାଇଁ ଠିକ ମାର୍ଗଦର୍ଶନ ମିଳୁ ନଥିବାରୁ ସେମାନେ ଏ ଦିଗରେ ଆଗେଇ ପାରୁ ନାହାନ୍ତି। ଯୋଜନା ଅନୁସାରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଓ କଟକସ୍ଥିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ସହଯୋଗରେ ରସଗୋଲା କ୍ଲଷ୍ଟର ସ୍ଥାପନ ହେବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଭାରତ ସରକାର ୭ କୋଟି, ରାଜ୍ୟ ସରକାର ୨ କୋଟି ଏବଂ ମିଠା କାରିଗରମାନେ ୧ କୋଟି ଟଙ୍କା ବହନ କରିବେ। ପାହାଳର ୮୭ ଜଣ ମିଠା କାରିଗର ଏହା ଜରିଆରେ ଉପକୃତ ହେବାର ଥିଲା। କ୍ଲଷ୍ଟର୍ ପାଇଁ ହୋଇଥିବା ଯୋଜନା ଅନୁଯାୟୀ ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ କ୍ଷୀରରୁ ଛେନା ପ୍ରସ୍ତୁତି ସହ ମିଠା ପାଇଁ ଆବଶ୍ୟକ କଞ୍ଚାମାଲ୍ ଯୋଗାଡ଼ କରାଯିବ। ରସଗୋଲାର ମାନ ପରୀକ୍ଷଣ ପାଇଁ ଏଠାରେ ଏକ ଏକ ଟେଷ୍ଟିଂ ଲାବରୋଟାରିର ମଧ୍ୟ ବ୍ୟବସ୍ଥା କରାଯିବ। ସେହିପରି ୫ ଦିନ ମଧ୍ୟରେ ମିଠା ନଷ୍ଟ ହୋଇ ଯାଉଥିବାରୁ ରାଜ୍ୟ ବାହାରକୁ ପଠାଇବାରେ ଅସୁବିଧା ହେଉଛି। ଏ ସମସ୍ୟାକୁ ଦୂର କରିବା ପାଇଁ ଏହି କ୍ଲଷ୍ଟର୍ରେ ଉନ୍ନତ ମାନର ପ୍ୟାକେଜିଂର ଉପଲବ୍ଧ ହେବ।
ସେପଟେ ଗତ ୫ ବର୍ଷ ଭିତରେ ଦୋକାନୀ ସଂଖ୍ୟା ୮୭ରୁ ୧୦୦ରେ ପହଞ୍ଚିଲାଣି। ଗ୍ରାହକଙ୍କ ଚାହିଦାକୁ ଦେଖି ପ୍ରତିଦିନ ବ୍ୟବସାୟୀ ଆହୁରି ନୂଆ ଦୋକାନ ଖୋଲୁଛନ୍ତି। ହେଲେ ଏପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଇଟା ଖଣ୍ଡେ ପଡ଼ି ନାହିଁ। ପାହାଳ ରସଗୋଲା ସମିତିର ସଭାପତି ଅକ୍ଷୟ ଲେଙ୍କା କହିଛନ୍ତି, ଇଡ୍କୋ କେବଳ ଦେଢ଼ ଏକର ଜମି ଯୋଗାଇ ଦିଆଯାଇଛି। ସେଠାରେ ଅନ୍ୟ କୌଣସି କାମ ଆରମ୍ଭ ହୋଇନାହିଁ। ଡିପିଆର୍ ପ୍ରସ୍ତୁତ ପାଇଁ ମାସେ ତଳେ ଏମ୍ଏସ୍ଏମ୍ଇକୁ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଛୁ। ଡିପିଆର୍କୁ କଟକସ୍ଥିତ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦ୍ଦେଶକ ଏବଂ ଏମ୍ଏସ୍ଏମ୍ଇ ସଚିବ ଦେଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଦିଲ୍ଲୀ ପଠାଯିବ। ଡିପିଆର୍ କରିବାକୁ ଯୋଗ୍ୟ ଲୋକ ପାଇପାରୁ ନଥିବାରୁ ୫ ବର୍ଷ ବିଳମ୍ବ ହେଲା। ଆମେ ବ୍ୟବସାୟୀ ହୋଇଥିବାରୁ ଆମକୁ କେହି ସହଯୋଗ କରିଲେ ନାହିଁ। ଜିଆଇ ଟ୍ୟାଗ୍ ମିଳିବା ଗୋଟିଏ ସାମଗ୍ରୀ ପାଇଁ ଯେତିକି ସମ୍ମାନର କଥା, ପରବର୍ତ୍ତୀ ସମୟରେ ତାହାକୁ ବଜାୟ ରଖିବା ସେତିକି ଗୁରୁତ୍ବପୂର୍ଣ୍ଣ। ଏହା ସହ ଅଂଶୀଦାରମାନଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଜରୁରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/rasagola.jpg)